ତେହେରାନ : ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ବାରା  ରିପୋର୍ଟ ପ୍ରକାଶ ପାଇଛି। ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଦେଶର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦକୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

Advertisment

ନ୍ୟୁୟର୍କ ଟାଇମ୍ସ ଇରାନର ତିନିଜଣ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସିଙ୍କ ରିପୋର୍ଟ ଆଧାରରେ ଏହା ଦାବି କରିଛି।   ନ୍ୟୁୟର୍କ ଟାଇମ୍ସ  କହିଛି  ଇସ୍ରାଏଲ ଉପରେ ପ୍ରତିଶୋଧ ନେବା ଲାଗି ପାଲଟା ଆକ୍ରମଣ ପାଇଁ ଖାମେନି ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ଇସ୍ରାଏଲର ଆକ୍ରମଣ ଯୋଗୁ ଇରାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପରେ ଖାମେନି ଏହି ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଇରାନର ଏହି ତିନିଜଣ ଅଧିକାରୀ ଦାବି କରିଛନ୍ତି ଯେ ପରିଷଦ ବୈଠକରେ ଖାମେନି କହିଛନ୍ତି ଯେ ଆମକୁ ଇସ୍ରାଏଲର ଆକ୍ରମଣର ଜବାବ ଦେବାକୁ ପଡ଼ିବ। ସେ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣକୁ ଅଣଦେଖା କରିବା ଏବଂ ପଛକୁ ଫେରିବା ଇରାନ ପାଇଁ ପରାଜୟ ଗ୍ରହଣ କରିବା ସହ ସମାନ ହେବ। ଏଭଳି ପରିସ୍ଥିତିରେ ଇରାନକୁ ଇସ୍ରାଏଲର ଆକ୍ରମଣର ଜବାବ ଦେବାକୁ ପଡିବ ଏବଂ ଏଥିପାଇଁ ପ୍ରସ୍ତୁତି କରାଯିବା ଉଚିତ୍। ଇରାନ ଆକ୍ରମଣରେ ଇସ୍ରାଏଲର ସାମରିକ ବେସ୍‌ଗୁଡିକ ଟାର୍ଗେଟ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅର୍ଥାତ୍ ନଭେମ୍ବର  ୫ ପରେ ଇରାନ ପ୍ରତିଶୋଧ ନେଇପାରେ ବୋଲି ଅନୁମାନ କରାଯାଉଛି।  ଆମେରିକାର ଚାପକୁ ଦୃଷ୍ଟିରେ ରଖି ଇରାନ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମତଦାନ ହେବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ନିଷ୍ପତ୍ତି ନେଇଛି। ଏଥିସହିତ ଏଭଳି କିଛି ରିପୋର୍ଟ ମଧ୍ୟ ବାହାରକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ଇରାନର ଆକ୍ରମଣ ମତଦାନ ପୂର୍ବରୁ ମଧ୍ୟ ହୋଇପାରେ। ଯଦିଓ ଏହା ଉପରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ।

ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ଏକ ବର୍ଷ ଧରି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ଦେଖାଦେଇଛି। ଚଳିତ ବର୍ଷ ଏପ୍ରିଲରେ ଉଭୟ ଦେଶ ମଧ୍ୟ ପରସ୍ପର ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ। ଏହା ପରେ କିଛି ମାସ ପାଇଁ ସ୍ଥିତି ଶାନ୍ତ ଥିଲା । କିନ୍ତୁ ଅକ୍ଟୋବରରେ ଅବସ୍ଥା ଆହୁରି ଖରାପ ହୋଇଥିଲା।

ଅକ୍ଟୋବର ୧ରେ ଲେବାନନରେ ଇସ୍ରାଏଲ୍ ସେନାର ଆକ୍ରମଣ ପରେ ଇରାନ ଇସ୍ରାଏଲ ଉପରେ ପ୍ରାୟ ୧୮୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ତିନି ସପ୍ତାହ ପରେ, ଅକ୍ଟୋବର ୨୬ରେ, ଇସ୍ରାଏଲ ବାୟୁସେନା ଇରାନ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ଇରାନରେ ପ୍ରାୟ ୨୦ଟି ଅଞ୍ଚଳକୁ ଟାର୍ଗେଟ କରିଥିଲା।  ଏବେ ପୁଣି ଥରେ ଇରାନ ନେତାମାନେ ପ୍ରତିଶୋଧ ନେବାର ଧମକ ଦେଉଛନ୍ତି।  

ଇସ୍ରାଏଲ୍ ଆକ୍ରମଣ ପରେ ଇରାନର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଏହି ଆକ୍ରମଣର ମୁକାବିଲା ପାଇଁ ତେହେରାନର ସମସ୍ତ ଅଧିକାର ରହିଛି। ଇରାନର ବିପ୍ଳବୀ ଗାର୍ଡ କମାଣ୍ଡର ହୋସେନ୍ ସଲାମି ମଧ୍ୟ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ କହିଛନ୍ତି। ଏଥି ସହିତ ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ଯେ ଯଦି ଇରାନରୁ କୌଣସି ଆକ୍ରମଣ ହୁଏ, ତେବେ ଆମ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯିବ। ଏଭଳି ପରିସ୍ଥିତିରେ ପଶ୍ଚିମ ଏସିଆରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି।