ସୁଲେମାନିଙ୍କ ମୃତ୍ୟୁ ପରେ ଆମେରିକା ଉପରେ ଭୟାବହ ପ୍ରତିଶୋଧ ନେବାକୁ ଇରାନ୍‌ର ଧମକ

ନୂଆଦିଲ୍ଲୀ: ଶୁକ୍ରବାର ଯୁକ୍ତରାଷ୍ଟ୍ର ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନ୍‌ର କୁଦ୍‌ସ୍‌ ଫୋର୍ସର ମୁଖ୍ୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁ ଘଟିବା ପରେ ‘ଭୟବହ ପ୍ରତିଶୋଧ’ ନେବାକୁ ଇରାନ୍‌ର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲି ଖାମିନି ଶପଥ କରିଛନ୍ତି। ଇରାନର ଏହି ଘୋଷଣା ପରେ ଉପସାଗରୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବ ବୋଲି ଆଶଙ୍କା କରାଯାଉଛି। ଖାମିନି ଆମେରିକାର ନାମ ନ ନେଇ ସୁଲେମାନିଙ୍କ ହତ୍ୟାକାରୀଙ୍କ ବିରୋଧ‌ରେ ଜିହାଦ ଜାରି ରହିବ ବୋଲି ଘୋଷଣା କରିଛନ୍ତି।

ଖାମିନି ଟୁଇଟ୍‌ କରି କହିଛନ୍ତି, ସୁଲେମାନି ସହିଦ ହୋଇଛନ୍ତି। ତାଙ୍କ ମୃତ୍ୟୁ ନିମନ୍ତେ ତିନି ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ସେ ଚାଲି ଯାଇଥିଲେ ବି ତାଙ୍କ କାର୍ଯ୍ୟ ଓ ଧାରା ବନ୍ଦ ହେବ ନାହିଁ।  ତାଙ୍କର ଏବଂ ଅନ୍ୟ ସହିଦମାନଙ୍କର ରକ୍ତରେ ନିଜର ହାତକୁ ରକ୍ତରଞ୍ଜିତ କରିଥିବା ଅପରାଧୀମାନଙ୍କ ଉପରେ ଭୟାନକ ପ୍ରତିଶୋଧ ନିଆଯିବ। ଦ୍ୱିଗୁଣ ବେଗରେ ଜିହାଦ ଚାଲିବ। ସମସ୍ତ ଶତ୍ରୁ ଏହା  ଜାଣି ରଖିବା ଉଚିତ। ଏହି ପବିତ୍ର ଯୁଦ୍ଧରେ ଲଢୁଆମାନଙ୍କର ନିଶ୍ଚୟ ବିଜୟ ହେବ।

Image Soruce: Latestly

ଶୁକ୍ରବାର ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ରକେଟ୍‌ ଆକ୍ରମଣ ଯୋଗୁଁ ଇରାନ୍‌ର ‘କୁଦ୍‌ସ୍‌ ଫୋର୍ସ’ର ମୁଖ୍ୟ ଜେନେରାଲ୍‌ କାଶିମ୍‌ ସୁଲେମାନି ନିହତ ହୋଇଥିବା କଥା ଇରାକ୍‌ର ଟେଲିଭିଜନ୍‌ ଏବଂ ଇରାକ୍‌ ସରକାରଙ୍କର ତିନିଜଣ ଅଧିକାରୀ ଆଜି ସକାଳେ ସ୍ପଷ୍ଟ କରିଥିଲେ।  ଏହି ରକେଟ୍‌ ଆକ୍ରମଣରେ ଇରାନ୍‌ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ପପୁଲାର୍‌ ମୋବିଲାଇଜେସନ୍‌ ଫୋର୍ସେସ୍‌’ର ଡେପୁଟି କମାଣ୍ଡର୍‌ ଅବୁ ମହଦି ଅଲ୍‌-ମୁହାନ୍ଦିସ୍‌ ମଧ୍ୟ ନିହତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ଇରାନ୍‌ ସମର୍ଥିତ ପାରାମିଲିଟାରି ଫୋର୍ସର ଜଣେ ଅଧିକାରୀ କହିଛନ୍ତି ଯେ ବାଗ୍‌ଦାଦ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ୭ ଜଣ ନିହତ ହୋଇଛନ୍ତି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଏୟାର୍‌ପୋର୍ଟ ପ୍ରୋଟକଲ୍‌ ଅଫିସର୍‌ ମହମ୍ମଦ୍‌ ରେଦା ଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ କହିଛନ୍ତି ଯେ କମାଣ୍ଡର୍‌ କାଶିମ୍‌ ସୁଲେମାନିିଙ୍କ ମୃତ୍ୟୁ ପରେ ଇରାକ୍‌ବାସୀ ଖୁସୀରେ ରାସ୍ତାରେ ନୃତ୍ୟ କରୁଛନ୍ତି। ଇରାକରେ ଲୋକେ ଶୋଭାଯାତ୍ରା କରୁଥିବାର ଏକ ଭିଡିଓ ସେୟାର୍‌ କରି ପମ୍ପିଓ କହିଛନ୍ତି ଜେନେରାଲ୍‌ ସୁଲେମାନି ଆଉ ନାହାନ୍ତି ବୋଲି ଇରାକବାସୀ ଆଶ୍ୱସ୍ତ। ସେହିପରି ବିଦେଶରେ ଥିବା  ଆମେରିକୀୟମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଭାବେ ‘ଇରାନ୍‌ ରିଭୋଲ୍ୟୁସ୍‌ନାରି ଗାର୍ଡସ୍‌’ କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କୁ ହତ୍ୟା କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଆଦେଶ ଦେଇଥିଲେ ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ କହିଛି। ଇରାକ୍‌ ଏବଂ ଉପସାଗରୀୟ  ଅଞ୍ଚଳରେ ଥିବା ଆମେରିକୀୟ କୁଟନୀତିଜ୍ଞ ଏବଂ  ସରକାରୀ ଓ ବେସରକାରୀ ଚାକିରି କରିଥିବା କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଜେନେରାଲ୍‌ ସୁଲେମାନି ଷଡ଼ଯନ୍ତ୍ର କରିଥିଲେ। ଶହ ଶହ ଆମେରିକୀୟ ଏବଂ ମିଳିତ ସେବା ସଦସ୍ୟମାନଙ୍କ ମୃତ୍ୟୁ  ଲାଗି ଜେନେରାଲ୍‌ ସୁଲେମାନି ଏବଂ ତାଙ୍କ ‘କୁଦ୍‌ସ୍‌ ଫୋର୍ସ’ ଦାୟୀ। ତେଣୁ ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିବା ସ୍ପଷ୍ଟ କରିଛି ପେଣ୍ଟାଗନ୍।

ସମ୍ବନ୍ଧିତ ଖବର