ପ୍ରାପ୍ତ ବୟସ୍କଙ୍କ ବିବାହ ନିଷ୍ପତ୍ତିିରେ ଖାପ ପଞ୍ଚାୟତ ହସ୍ତକ୍ଷେପ କରି ପାରିବ ନାହିଁ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କୌଣସି ପରିସ୍ଥିତିରେ ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ସ୍ୱଇଛାରେ ବିବାହକୁ ଖାପ ପଞ୍ଚାୟତ ଅସିଦ୍ଧ ଘୋଷଣା କରି ପାରିବ ନାହିଁ ବୋଲି ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ କୁମାର ମିଶ୍ର,ଜଷ୍ଟିସ ଏଏମ ଖାନ୍‌ଓ୍ଵିଲକର ଓ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କୁ ନେଇ ଗଠିତ ସୁପ୍ରିମ୍‌କୋର୍ଟର ବେଞ୍ଚ କହିଛନ୍ତି ଯେ ନିଜ ଇଛାରେ ବିବାହ କରିଥିବା ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ବିବାହକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆୟୋଜିତ ଯେ କୌଣସି ସଭା, ବୈଠକ ମଧ୍ୟ ବେଆଇନ।

ସୂଚନାଯୋଗ୍ୟ ଯେ ଶକ୍ତିବାହିନୀ ନାମକ ଏକ ସ୍ୱେଛାସେବୀ ଅନୁଷ୍ଠାନ ୨୦୧୦ ମସିହାରେ ଖାପ ପଞ୍ଚାୟତ ନିର୍ଦ୍ଦେଶ, ହିଂସା ଓ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନ କରିଥିଲେ। ଗତ ମାସରେ ମଧ୍ୟ ସର୍ବୋଚ୍ଚ ଅଦାଲତ ଖାପ ପଞ୍ଚାୟତର ଅନର କିଲିଂ ପରି ଘଟଣାକୁ ସମର୍ଥନ କରୁଥିବା ଓ ଆଇନକୁ ନିଜ ହାତକୁ ନେଉଥିବା ଘଟଣେରେ ଉଦ୍‌ବେଗ ପ୍ରକାଶ କରି ଖାପ ପଞ୍ଚାୟତର ଆକ୍ରୋଶର ଶିକାର ହେଉଥିବା ଦମ୍ପତିଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆତ୍ମଘୋଷିତ ଖାପ ପଞ୍ଚାୟତ କେ ବି ସମାଜର ବିବେକ ରକ୍ଷକ ଭାବେ କାର୍ଯ୍ୟ କରି ପାରିବେ ନାହିଁ। ଏ ନେଇ ଦେଶର ଆଇନ ରହିଛି। ବିବାହ ସମ୍ପର୍କିତ ମାମଲାର ବିଚାର ପାଇଁ କୋର୍ଟ ରହିଥିବା ବେଳେ ଅନ୍ୟ କେହି ଏ ଦିଗରେ କାର୍ଯ୍ୟ କରିବା ଆଇନତଃ ନିଷିଦ୍ଧ କରାଯାଇଛିି। ଯଦି ଦୁଇଜଣ ପ୍ରାପ୍ତ ବୟସ୍କ ବିବାହ କରିଥାନ୍ତି ଓ ସେମାନଙ୍କ ବିବାହକୁ ନେଇ ସୃଷ୍ଟି ହୋଇଥିବା ଯେକୌଣସି ବିବାଦର ଶୁଣାଣି କେବଳ ଅଦାଲତ କରିପାରିବେ । ଖାପ୍‌ ପଞ୍ଚାୟତ କୌଣସି ପରିସ୍ଥିତିିରେ ସମ୍ପୃକ୍ତ ଦମ୍ପତିଙ୍କ ବିରୋଧରେ ହିଂସା ଆଚରଣ କରିପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର