ଖାପ୍‌ ପଞ୍ଚାୟତ ହସ୍ତକ୍ଷେପ ବେଆଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରେମ ବିବାହରେ ଖାପ୍‌ ପଞ୍ଚାୟତ (ସାମାଜିକ ଗୋଷ୍ଠୀ)ର ହସ୍ତକ୍ଷେପ ଏବଂ ଅନର୍‌ କିଲିଂ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପରିବାର, ସମାଜ ଏବଂ ଖାପ୍‌ ପଞ୍ଚାୟତ ଦୁଇ ପ୍ରାପ୍ତ ବୟସ୍କଙ୍କ ପ୍ରେମ ବିବାହ ମାମଲାରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଅନ୍ୟ ଜାତି କିମ୍ବା ଅନ୍ୟ ଧର୍ମରେ ବିବାହ କରୁଥିବା ପ୍ରେମୀ ଯୁଗଳଙ୍କୁ ସେମାନଙ୍କ ପରିବାର କିମ୍ବା ଖାପ୍‌୍‌ ପଞ୍ଚାୟତ କୌଣସି କ୍ଷତି ପହଞ୍ଚାଇପାରିବେ ନାହିଁ କିମ୍ବା ଅପମାନିତ କରିପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିବା ସହ ଏଭଳି ମାମଲାରେ ତୁରନ୍ତ ଖାପ୍‌ ପଞ୍ଚାୟତ ଏବଂ ସଂପୃକ୍ତ ପରିବାର ବିରୋଧରେ ଏତଲା ଦାଏର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ଦେଶର ଯେଉଁ ଅଞ୍ଚଳରେ ଖାପ୍‌ ପଞ୍ଚାୟତର ବୈଠକ ହୋଇଛି କିମ୍ବା ଅନର୍‌ କିଲିଂ ଘଟିଛି ସେହି ଜିଲ୍ଲା, ଉପଖଣ୍ଡ ଏବଂ ଗ୍ରାମଗୁଡ଼ିକୁ ଚିହ୍ନଟ କରି ବିହିତ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମ୍‌ କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି।
କୋର୍ଟ କହିଛନ୍ତି, ସ୍ୱଇଚ୍ଛାରେ ଦୁଇଜଣ ପ୍ରାପ୍ତ ବୟସ୍କ ପ୍ରେମୀ ପରସ୍ପରକୁ ବିବାହ କରି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାର ଇଚ୍ଛା ସେମାନଙ୍କ ମୌଳିକ ଅଧିକାର। ଏଭଳି ମାମଲାରେ ଖାପ୍‌ ପଞ୍ଚାୟତ ହସ୍ତକ୍ଷେପ କରିବା ସଂପୂର୍ଣ୍ଣ ବେଆଇନ। ସ୍ୱେଚ୍ଛାସେବୀ ସଂସ୍ଥା ‘ଶକ୍ତି ବାହିନୀ’ର ଆବେଦନ ଶୁଣାଣି କରି କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍‌ ଖାନଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କହିଛନ୍ତି ଯେ ସଂସଦରେ ଏ ବାବଦ ଆଇନ ଗୃହୀତ ନହେବା ପର୍ଯ୍ୟନ୍ତ କୋର୍ଟଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳିତ ହେବ। ଏହାକୁ ପାଳନ କରିବାରେ ପୁଲିସ ବିଫଳ ହେଲେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ଚେତାଇ ଦେଇଛନ୍ତି। ଜାତି ଓ ଧର୍ମକୁ ଆଧାର କରି ଗଠିତ ଖାପ୍‌ ପଞ୍ଚାୟତଗୁଡ଼ିକୁ ଚେତାବନୀ ଦେଇ ଖଣ୍ଡପୀଠ କହିଛନ୍ତି ଯେ ଖାପ୍‌ ପଞ୍ଚାୟତ ସମାଜର ବିବେକ ରକ୍ଷାକାରୀ ଭାବେ ଆଚରଣ କରିବା ଉଚିତ ନୁହେଁ।
ଅନ୍ୟପକ୍ଷରେ ଖାପ୍‌ ପଞ୍ଚାୟତ ଏହି ମାମଲାରେ ପୂର୍ବରୁ କୋର୍ଟଙ୍କୁ ଜଣାଇଥିଲେ ଯେ ସେମାନେ ଅନ୍ୟ ଜାତିରେ ବିବାହକୁୁ ଉତ୍ସାହିତ କରୁଛନ୍ତି, କିନ୍ତୁ କେତେକ କ୍ଷେତ୍ରରେ ସେମାନେ ସମାଜର ବିବେକ ରକ୍ଷାକାରୀ ଭାବେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ତେବେ କୋର୍ଟ ଏଭଳି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ସେମାନଙ୍କ ହସ୍ତକ୍ଷେପକୁ ସଂପୂର୍ଣ୍ଣ ବେଆଇନ ଦର୍ଶାଇଛନ୍ତି। ଖାପ୍‌ ପଞ୍ଚାୟତ ସକ୍ରିୟ ଥିବା ରାଜ୍ୟ ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏ ବାବଦ ସ୍ଥିତିକୁ ମଧ୍ୟ କୋର୍ଟ ସମୀକ୍ଷା କରିବେ ବୋଲି କହିଛନ୍ତି।
ଖାପ୍‌ ପଞ୍ଚାୟତ କ’ଣ? ଖାପ୍‌ ପଞ୍ଚାୟତ ହେଉଛି ଜାତି ତଥା ଧର୍ମ ଭିତ୍ତିକ ସାମାଜିକ ଗୋଷ୍ଠୀ ଯାହା ଉତ୍ତର ଭାରତର ଗ୍ରାମୀଣ ଅଞ୍ଚଳରେ ଏବେ ସକ୍ରିୟ ରହିଛି। ପୁରୁଣା ପରମ୍ପରା ଅନୁଯାୟୀ କୌଣସି ବ୍ୟକ୍ତି ଯଦି ଅନ୍ୟ ଜାତି କିମ୍ବା ଧର୍ମରେ ବିବାହ କରେ ତେବେ ତା’ର ବିଚାର ଖାପ୍‌ ପଞ୍ଚାୟତରେ ହୁଏ ଏବଂ ଏଥିଲାଗି ଖାପ୍‌ ପଞ୍ଚାୟତ କଠୋର ଦଣ୍ଡ ଘୋଷଣା କରନ୍ତି। ଅନେକ ମହିଳା ଏବଂ ପୁରୁଷ ଏହି ଖାପ୍‌ ପଞ୍ଚାୟତ ନିଷ୍ପତିତିର ଶିକାର ହୋଇ ଅତି କଠୋର ଦଣ୍ଡ ପାଇଥିବା ନଜିର ରହିଛି। ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହି ବ୍ୟବସ୍ଥା ଅଧିକ ସକ୍ରିୟ ରହିଛି।
ଖାପ୍‌ ପଞ୍ଚାୟତର ବିରୋଧ: ସମାନ ଗୋତ୍ରରେ ବିବାହ କରାଇଦେବୁନି
ନୂଆଦିଲ୍ଲୀ, ୨୭|୩: ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କ ପ୍ରେମ ବିବାହରେ ଖାପ୍‌ ପଞ୍ଚାୟତର ହସ୍ତକ୍ଷେପ ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି ଆଜି ସୁପ୍ରିମକୋର୍ଟ ରାୟ ଦେବା ପରେ ଖାପ୍‌ ନେତାମାନେ ଏହାର ବିରୋଧ କରିଛନ୍ତି। ସମାନ ଗୋତ୍ର ଏବଂ ନିବିଡ଼ ରକ୍ତ ସଂପର୍କ କ୍ଷେତ୍ରରେ ସେମାନେ ବିବାହକୁ ଅନୁମତି ଦେବେନି ବୋଲି ଖାପ୍‌ ନେତାମାନେ କହିଛନ୍ତି। ଖାପ୍‌ ପଞ୍ଚାୟତ ନେତା ସୁଭାଷ ବଲିୟାନ୍‌ କହିଛନ୍ତି ଯେ ଆମ ପୂର୍ବ ପୁରୁଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପୁରୁଣା ପରମ୍ପରାକୁ ଆମେ ଭାଙ୍ଗି ପାରିବୁନି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ଏକ ପଞ୍ଚାୟତ କରିବୁ ବୋଲି ସେ କହିଛନ୍ତି। ସେହିପରି ଲତିୟାନ୍‌ ଖାପ୍‌ର ମୁଖ୍ୟ ବୀରେନ୍ଦ୍ର ଲତିୟାନ୍‌ କହିଛନ୍ତି ଯେ ସେମାନେ ଯେ କୌଣସି ପରିଣାମକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସମାନ ଗୋତ୍ର ଓ ସମାନ ଗ୍ରାମରେ ପ୍ରେମ ବିବାହକୁ ଗ୍ରହଣ କରିପାରିବେନି।

ସମ୍ବନ୍ଧିତ ଖବର