ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ କ୍ରୟ ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କଂଗ୍ରେସ ଅନ୍ୟ ରାସ୍ତା ଆପଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବା ଜାରି ରଖିଛି।
ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ କି ରାଫେଲ୍ ବିମାନର ଦର ନେଇ ସିଏଜିଙ୍କ ରିପୋର୍ଟ କେନ୍ଦ୍ର ସରକାର ପବ୍ଲିକ୍ ଆକାଉଣ୍ଟ୍ସ କମିଟିରେ ଉପସ୍ଥାପିତ କରିନାହାନ୍ତି। ପିଏସିର ଅଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ୍ ଖଡ୍ଗେ ଏହାକୁ ପାଇ ନ ଥିବା ଅଭିଯୋଗ କରିଥିଲେ।
ଏହାର ଉତ୍ତର ରଖିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ। ସେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଯଦି ପିଏସି ଅଧ୍ୟକ୍ଷ ରାଫେଲ୍ ଦର ନେଇ ସିଏଜିଙ୍କ ରିପୋର୍ଟ ପାଇ ନାହାନ୍ତି, ତେବେ ସେ ଅଦାଲତଙ୍କ ନିକଟରେ ଏ ନେଇ ଏକ ସତ୍ୟପାଠ ଦାଖଲ କରନ୍ତୁ। ଏହି ସତ୍ୟପାଠରେ ସେ ସିଏଜିଙ୍କ ରିପୋର୍ଟ ପାଇ ନ ଥିବା ଏବଂ କମିଟି ଏହାକୁ ଅନୁଧ୍ୟାନ କରି ନ ଥିବା ବିଷୟ ଦର୍ଶାଇବା ଉଚିତ।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଦାବି ହୋଇ ଆସୁଛି କି ଭାରତ ସରକାର ଅଧିକ ଦର ଦେଇ ରାଫେଲ୍ ଜେଟ୍ କ୍ରୟ କରୁଛନ୍ତି ଓ ଏଥିରେ ଅନିଲ ଅମ୍ବାନିଙ୍କୁ ଫାଇଦା ଦିଆଯାଇଛି।
ତେବେ ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ଏହା ସ୍ପଷ୍ଟ କରିଛନ୍ତି କି ବିମାନରେ ଦର ନିର୍ଦ୍ଧାରଣ ଓ ଅଫ୍ସେଟ ପାର୍ଟରେ ଚୟନ ସଂପର୍କରେ ତଦନ୍ତ କରିବା କୋର୍ଟଙ୍କ କାମ ନୁହେଁ।