ଖରିଫ ଏମ୍‌ଏସ୍‌ପି ବଢ଼ିଲା: ଧାନ ୧୦୦, ମାଣ୍ଡିଆ ୨୦୧ ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୨-୨୩ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ବଢ଼ାଇଛନ୍ତି। ସାଧାରଣ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୧୯୪୦ ଟଙ୍କାରୁ ବୃଦ୍ଧି ପାଇ ୨୦୪୦ ଟଙ୍କା ହୋଇଥିବା ବେଳେ ଏ ଗ୍ରେଡ୍‌ ଧାନର ଏମ୍‌ଏସ୍‌ପି ୧୯୬୦ ଟଙ୍କାରୁ ବୃଦ୍ଧି ପାଇ ୨୦୬୦ ଟଙ୍କା ହୋଇଛି। ହାଇବ୍ରିଡ୍‌ ଯଅର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୨୭୩୮ ଟଙ୍କାରୁ ବୃଦ୍ଧି ପାଇ ୨୯୯୦ ଟଙ୍କା, ମାଲ୍‌ଦାଣ୍ଡି ଯଅର ୨୭୫୯ ଟଙ୍କାରୁ ବୃଦ୍ଧି ପାଇ ୨୯୯୦ ଟଙ୍କା, ବାଜରାର ୨୨୫୦ ଟଙ୍କାରୁ ବୃଦ୍ଧି ପାଇ ୨୩୫୦ ଟଙ୍କା ଓ ମାଣ୍ଡିଆର ଏମ୍‌ଏସ୍‌ପି ୩୩୭୭ ଟଙ୍କାରୁ ବୃଦ୍ଧି ପାଇ ୩୫୭୮ ଟଙ୍କା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମକାର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୧୮୭୦ ଟଙ୍କାରୁ ବୃଦ୍ଧି ପାଇ ୧୯୬୨ ଟଙ୍କା, ହରଡ଼ର ୬୩୦୦ ଟଙ୍କାରୁ ବୃଦ୍ଧି ପାଇ ୬,୬୦୦ ଟଙ୍କା, ମୁଗର ୭୨୭୫ ଟଙ୍କାରୁ ବୃଦ୍ଧି
ପାଇ ୭୭୫୫ ଟଙ୍କା, ବିରିର ୬୩୦୦ ଟଙ୍କାରୁ ବୃଦ୍ଧି ପାଇ ୬,୬୦୦ ଟଙ୍କା, ଚିନାବାଦାମର ୫୫୫୦ ଟଙ୍କାରୁ ବୃଦ୍ଧି ପାଇ ୫୮୫୦ ଟଙ୍କା ଓ ସୂର୍ଯ୍ୟମୁଖୀ ମଞ୍ଜିର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୬୦୧୫ ଟଙ୍କାରୁ ବୃଦ୍ଧି ପାଇ ୬,୪୦୦ ଟଙ୍କା ହୋଇଛି।

curioski.com

ହଳଦିଆ ସୋୟାବିନ୍‌ର ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୩୯୫୦ ଟଙ୍କାରୁ ବୃଦ୍ଧି ପାଇ ୪,୩୦୦ ଟଙ୍କା ହୋଇଥିବା ବେଳେ ରାଶି ଏମ୍‌ଏସ୍‌ପି ୭୩୦୭ ଟଙ୍କାରୁ ବୃଦ୍ଧି ପାଇ ୭୮୩୦ ଟଙ୍କା, କଳା ରାଶିର ୬୯୩୦ ଟଙ୍କାରୁ ବୃଦ୍ଧି ପାଇ ୭୨୮୭ ଟଙ୍କା, ମଧ୍ୟମ ଷ୍ଟେପଲ୍ କପାର ଏମ୍‌ଏସ୍‌ପି ୫୭୨୬ ଟଙ୍କାରୁ ବୃଦ୍ଧି ପାଇ ୬୦୮୦ ଟଙ୍କା ଓ ସାଧାରଣ ଷ୍ଟେପଲ୍‌ କପାର ଏମ୍‌ଏସ୍‌ପି ୬୦୨୫ ଟଙ୍କାରୁ ବୃଦ୍ଧି ପାଇ ୬୩୮୦ ଟଙ୍କା ହୋଇଛି।

ବିଭିନ୍ନ ଫସଲର ଏମ୍‌ଏସ୍‌ପିରେ ୯୨ ଟଙ୍କାରୁ ଆରମ୍ଭ କରି ୫୨୩ ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ହୋଇଛି। ରାଶିର ଏମ୍‌ଏସ୍‌ପି ସର୍ବାଧିକ ୫୨୩ ଟଙ୍କା ବଢ଼ିଥିବା ବେଳେ ମୁଗର ୪୮୦ ଟଙ୍କା, ହରଡ଼, ବିରି ଓ ଚିନାବାଦାମ ଏମ୍‌ଏସ୍‌ପି ୩୦୦ ଟଙ୍କା ଲେଖାଏଁ ବଢ଼ିଛି। ସୂର୍ଯ୍ୟମୁଖୀ ମଞ୍ଜି ଏମ୍‌ଏସ୍‌ପି ୩୮୫ ଟଙ୍କା ବଢ଼ିଛି। ଉଭୟ ପ୍ରକାର ଯଅର ଏମ୍‌ଏସ୍‌ପି ୨୩୨ ଟଙ୍କା ଲେଖାଏଁ ବଢ଼ିଥିବା ବେଳେ ଧାନ ଏସ୍‌ଏମ୍‌ପିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ ଠାରୁ ଅତିକମ୍‌ରେ ୫୦% ଲାଭରେ ଏମ୍ଏସ୍‌ପି ଦର ନିର୍ଧାରଣ କରିବା ଲାଗି ୨୦୧୮-୧୯ ବଜେଟ୍‌ରେ ଘୋଷଣା କରାଯାଇଥିଲା। ସେହି ଅନୁସାରେ ୨୦୨୨-୨୩ ବିପରଣ ଋତୁ ପାଇଁ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୧୪.୫୧ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ବୋଲି ଅଗ୍ରୀମ ଆକଳନ କରାଯାଇଛି ଯାହା ପୂର୍ବବର୍ଷ ତୁଳନାରେ ୩.୭୭ ନିୟୁତ ଟନ୍ ଅଧିକ।

ସମ୍ବନ୍ଧିତ ଖବର