ଏସିଡ୍‌ ପକାଇ ନଷ୍ଟ କରିଥିଲେ ଖସୋଗିଙ୍କ ଶରୀର

ନର୍ଦ୍ଦମାରେ ବୁହାଇଥିଲେ ଅବଶେଷ

ତୁର୍କୀ: ସାଉଦିର ପ୍ରଖ୍ୟାତ ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା ଘଟଣାକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟର ପର୍ଦ୍ଦାଫାସ ହେଉଛି। ଖସୋଗିଙ୍କୁ ହତ୍ୟା ପରେ ତାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରାଯାଇଥିଲା। ଏହାପରେ ତାଙ୍କ ଶରୀରକୁ ଏସିଡ୍‌ ପକାଇ ନଷ୍ଟ କରି ଦିଆଯାଇଥିଲା। ପରେ ଅବଶେଷକୁ ଡ୍ରେନ୍‌ରେ ଫୋପାଡ଼ି ଦିଆଯାଇଥିଲା। ତୁର୍କୀ ଖବରକାଗଜର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଇସ୍ତାନବୁଲ୍‌ସ୍ଥିତ ସାଉଦି ଦୂତାବାସ ନିକଟସ୍ଥ ଏକ ଡ୍ରେନ୍‌ର ନମୁନା ପରୀକ୍ଷଣରୁ ଏଥିରେ ଏସିଡ୍‌ ଭାଗ ଥିବା ଜଣାପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଖସୋଗି ଗତ ଅକ୍ଟୋବର ୨ ତାରିଖରେ ଶେଷ ଥର ପାଇଁ ଇସ୍ତାନବୁଲ୍‌ ଦୂତାବାସରେ ପ୍ରବେଶ କରିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏହା ପରଠାରୁ ତାଙ୍କର ଆଉ ପତ୍ତା ମିଳିନଥିଲା। ତେବେ ୫୯ ବର୍ଷୀୟ ଖସୋଗିଙ୍କୁ ହତ୍ୟା କରାଯାଇଛି ବୋଲି ବାରମ୍ବାର ଅସ୍ବୀକାର କରିବା ପରେ ଶେଷରେ ସାଉଦି ଆରବ ଖସୋଗିଙ୍କୁ ହତ୍ୟା କରାଯାଇଛି ବୋଲି ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର