‌ସୋନିଆଙ୍କ ବିରୋଧରେ ଖଟ୍ଟରଙ୍କ ବିବାଦୀୟ ବୟାନ, କ୍ଷମା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର କଂଗ୍ରେସ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀଙ୍କ ବିରୋଧରେ ଦେଇଥିବା ‘ ମଲା ମୂଷା’ ଟିପ୍ପଣୀ ପାଇଁ କଂଗ୍ରେସ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଖଟ୍ଟରଙ୍କର ଏଭଳି ଅସମ୍ମାନଜନକ ଟିପ୍ପଣୀ ପାଇଁ ସେ ନିଃସର୍ତ୍ତ କ୍ଷମା‌ ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ମହିଳା କଂଗ୍ରେସ ମୁଖ୍ୟ ସୁଶ୍ମିତା ଦେବ କହିଛନ୍ତି , କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୋଧରେ ଖଟ୍ଟରଙ୍କ ଏଭଳି ଟିପ୍ପଣୀରୁ ତାଙ୍କର ଏବଂ ବିଜେପିର ମହିଳାମାନଙ୍କ ପ୍ରତି ଥିବା ଅସମ୍ମାନ ଭାବ ପଦାରେ ପଡ଼ି ଯାଇଛି। ଦିଲ୍ଲୀ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ଖଟ୍ଟରଙ୍କ ଏହି ଟିପ୍ପଣୀକୁ ବିରୋଧ କରି ବିଜେପି ଅଫିସ୍‌ ବାହାରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ହୋଇ ଫେରିବା ବିଷୟକୁ ଟା‌ର୍ଗେଟ୍‌ କରି ଖଟ୍ଟର ଗତକାଲି କହିଥିଲେ, ଆମେ ଭାବିଥିଲୁ ପରିବାରବାଦରୁ ଦୂରେଇ ରହିବା ଭଲ, କିନ୍ତୁ ସେମାନେ ଦଳର ନୂଆ ଅଧ୍ୟକ୍ଷ ପାଇଁ ୩ ମାସ ଦେଶ ସାରା ବୁଲିଲେ ମଧ୍ୟ କିଏ ଅଧ୍ୟକ୍ଷ ‌ହେଲା ? ସୋନିଆ ଗାନ୍ଧୀ। ‘ଖୋଦା ପାହାଡ଼ ନିକ୍‌ଲି ଚୁହିୟା, ୱୋ ଭି ମରି ହୁଇ।’ ଖଟ୍ଟରଙ୍କର ଏହି ଟିପ୍ପଣୀକୁ ବିରୋଧୀ ମହଲରେ କଡ଼ା ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର