ବଗ୍ଗାଙ୍କ ଗିରଫଦାରି ପୂର୍ବରୁ ଆବଶ୍ୟକ ପ୍ରକ୍ରିୟା ପାଳନ କରାଯାଇନଥିଲା : ଖଟ୍ଟର

ନୂଆଦିଲ୍ଲୀ : ପଂଜାବ ପୁଲିସ ଦ୍ବାରା ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗାଙ୍କ ଗିରଫଦାରି ଓ ବାଟରେ ହରିୟାଣା ପୁଲିସର ହସ୍ତକ୍ଷେପକୁ ନେଇ ମୁହଁ ଖୋଲିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି ଯେ ଏହି ଗିରଫଦାରି ବେଳେ ଆବଶ୍ୟକ ପ୍ରକ୍ରିୟା ପାଳନ କରାଯାଇନଥିଲା । ଦିଲ୍ଲୀ ପୁଲିସର ସୂଚନାକ୍ରମେ ହରିୟାଣା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବେ ମାମଲା ଦିଲ୍ଲୀ ଓ ହରିୟାଣା ପୁଲିସ ମଧ୍ୟରେ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଗ୍ଗା ଜଣେ ରାଜନୈତିକ ବ୍ୟକ୍ତି । ସେ ନିର୍ବାଚନ ସମୟରେ କିଛି କଥା କହିଥିଲେ । ରାଜନୈତିକ ଭାଷଣରେ ସାଧାରଣତଃ ପରସ୍ପରକୁ ଦୋଷାରୋପ ଥାଏ । କିନ୍ତୁ ଏକଥା ପ୍ରଥମେ ନିର୍ବାଚନ ଆୟୋଗ ବୁଝିବ ଓ ତାପରେ ପୁଲିସ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କିନ୍ତୁ ଜଣେ ରାଜନୈତିକ ବ୍ୟକ୍ତିକୁ ପୁଲିସ ଦ୍ବାରା ଏପରି ଗିରଫ କରାଯିବା ଉଚିତ ନୁହେଁ । ଯଦି ରାଜନୈତିକ ବ୍ୟକ୍ତିମାନଙ୍କ ମଧ୍ୟରେ ଏପରି ପ୍ରତିଶୋଧ ଚାଲିବ ତେବେ ସ୍ଥିତି ବିଗିଡ଼ିଯିବ ।

ଆଜି ସକାଳେ ପଂଜାବ ପୁଲିସ ବଗ୍ଗାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଗିରଫ କରିଥିଲା । ତେବେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ନକରି ପଂଜାବ ନିଆଯାଉଥିବାରୁ ଦିଲ୍ଲୀ ପୁଲିସ ଏକ ଅପହରଣ ମାମଲା ରୁଜ୍ଜୁ କରିଥିଲା । ପଂଜାବ ପୁଲିସ ତାଙ୍କୁ ହରିୟାଣା ଦେଇ ମୋହାଲି ନେଉଥିବା ବେଳେ ହରିୟାଣା ପୁଲିସ ତାଙ୍କୁ ଅଟକାଇ ଥିଲା ଓ ଦିଲ୍ଲୀ ପୁଲିସକୁ ଖବର ଦେଇଥିଲା । ଦିଲ୍ଲୀ ପୁଲିସ କୁରୁକ୍ଷେତ୍ରଠାରେ ପହଞ୍ଚିବା ପରେ ହରିୟାଣା ପୁଲିସ ବଗ୍ଗାଙ୍କୁ ହସ୍ତାନ୍ତର କରିଥିଲା ।

 

 

ସମ୍ବନ୍ଧିତ ଖବର