ହରିୟାଣା : ଆସ୍ଥା ଭୋଟରେ ଖଟ୍ଟର ସରକାର ବିଜୟୀ

ନୂଆଦିଲ୍ଲୀ : ହରିୟାଣାରେ ମନୋହର ଲାଲ ଖଟ୍ଟର ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପି-ଜେଜେପି ସରକାରଙ୍କ ପକ୍ଷରେ ୫୦ଟି ଭୋଟ ପଡ଼ିଛି । ଏହା ଫଳରେ ଖଟ୍ଟର ସରକାର ଉପରେ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି ।

ଏହି ଆସ୍ଥା ଭୋଟରେ ବିଜେପିର ୩୯, ସହଯୋଗୀ ଦଳ ଜନନାୟକ ଜନତା ଦଳର ୧୦, ୫ ସ୍ବାଧୀନ ଓ ହରିୟାଣା ଲୋକହିତ ପାର୍ଟିର ଜଣେ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ ବୋଲି ବିଧାନସଭା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତା ଘୋଷଣା କରିଛନ୍ତି ।

କୃଷକ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳମାନେ ଖଟ୍ଟର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହି ଆନ୍ଦୋଳନକୁ ହରିୟାଣା ସରକାର ଠିକଭାବେ ପରିଚାଳନା କରିନାହାନ୍ତି ବୋଲି ଦର୍ଶାଇ ବିରୋଧୀ ଦଳମାନେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ହୁଡ଼ା କହିଛନ୍ତି ଯେ କୃଷି ଆନ୍ଦୋଳନବେଳେ ମୃତ୍ୟୁବରଣ କରିଥିବା ଶତାଧିକ କୃଷକଙ୍କୁ ଅସମ୍ମାନ କରିଛନ୍ତି ।

ଏହି ଆସ୍ଥା ଭୋଟ ପୂର୍ବରୁ ବିଧାନସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଥିଲେ ଯେ ପ୍ରତି ୬ ମାସରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା କଂଗ୍ରେସର ଏକ ଅଭ୍ୟାସ ହୋଇଗଲାଣି ।

 

ସମ୍ବନ୍ଧିତ ଖବର