୨୦୨୪ରେ ପଶ୍ଚିମବଙ୍ଗରୁ ବିଜେପିର ପରାଜୟ ଯାତ୍ରା ଆରମ୍ଭ ହେବ: ମମତା ବାନାର୍ଜୀ

କୋଲକାତା: ବିଜେପିକୁ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ହରାଇବା ପାଇଁ ଏବେଠୁ ଏକଜୁଟ ହେଲେଣି ବିରୋଧୀ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୪ଦିନିଆ ଦିଲ୍ଲୀ ଗସ୍ତର ଯାଇ ବିରୋଧୀ ଦଳର ନେତାଙ୍କୁ ଭେଟିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ବିରୋଧୀ ଏକତା ପାଇଁ ଚାଲିଥିବା ଅଭିଯାନ ମଧ୍ୟରେ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପିର ପରାଜୟ ପଶ୍ଚିମବଙ୍ଗରୁ ଆରମ୍ଭ ହେବ।

ଦିଦି କହିଛନ୍ତି ଯେ ଆମେ ସମସ୍ତେ ଏକାଠି। ବର୍ତ୍ତମାନ ଅଖିଳେଶ ଯାଦବ, ନୀତୀଶ କୁମାର, ହେମନ୍ତ ସୋରେନ ସମସ୍ତେ ଏକାଠି ହୋଇଛନ୍ତି। ଯେଉଁମାନେ ୨୭୫-୩୦୦ ସିଟ୍ ପାଇଁ ଗର୍ବ ଅନୁଭବ କରୁଛନ୍ତି, ସେମାନେ ମନେ ରଖିବା ଉଚିତ୍ ଯେ ରାଜୀବ ଗାନ୍ଧୀଙ୍କ ପାଖରେ ୪୦୦ଟି ସିଟ୍ ଥିଲା। ଯେଉଁମାନେ ପ୍ରାୟ ୩୦୦ଆସନ ବିଷୟରେ କହୁଛନ୍ତି ସେମାନେ ୫ଟି ରାଜ୍ୟରେ ୧୦୦ଟି ସିଟ୍ ହରାଇବେ।

ଗୁରୁବାର ଦିନ ଏକ ନୂତନ ସ୍ଲୋଗାନ ଦେଇ ମମତା ବାନାର୍ଜୀ କହିଛନ୍ତି ଯେ ‘ଅୗର ନେହିଁ ଦରକାର, ବିଜେପି ସରକାର’। ଯେଉଁମାନେ ଇଡି, ସିବିଆଇ, ଆୟକର ବିଭାଗର ଭୟ ଦେଖାଉଛନ୍ତି ସେମାନଙ୍କୁ ଉଚିତ୍ ଶିକ୍ଷା ଦେବେ ଜନତା।

ସୂଚନାଯୋଗ୍ୟ ଯେ ୨୦୨୧ରେ ପଶ୍ଚିବବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ଦଳ ଟିଏମସି କ୍ରମାଗତ ତୃତୀୟ ଥର ବିଜୟ ହାସଲ କରି ରାଜ୍ୟରେ ସରକାର ଗଠନ କରିଥିଲା। ଏହି ବିଜୟ ପରେ ବିଜେପିର ଗର୍ବ ଭାଙ୍ଗିଥିବା କଥା ଦିଦି କହିସାରିଥିବା ବେଳେ ୨୦୨୪ରେ ମଧ୍ୟ ବିଜେପି ହାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର