କିବ୍/ମସ୍କୋ: ରୁଷ୍ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୪ ବର୍ଷ ଧରି ଯୁଦ୍ଧ ଚାଲିଥିବା ବେଳେ ଏବେ ୟୁକ୍ରେନର ରାଜଧାନୀ କିବ୍ ରୁଷ୍ର ଟାର୍ଗେଟ୍ରେ ରହିଛି। ୩ ସପ୍ତାହ ହେଲା ରୁଷ୍ ସେନା କିବ୍କୁ ଟାର୍ଗେଟ୍ କରିଆସୁଛି ଏବଂ ଆଜି ସବୁଠାରୁ ବଡ଼ ଆକ୍ରମଣ ହୋଇଛି। ପ୍ରାୟ ୮ ଶହ ଡ୍ରୋନ୍ ଏବଂ ୧୩ଟି କ୍ଷେପଣାସ୍ତ୍ର ଦ୍ବାରା ରୁଷ୍ କିବ୍କୁ ଟାର୍ଗେଟ୍ କରିଛି। ଏହି ଆକ୍ରମଣରେ କିବ୍ର ‘କ୍ୟାବିନେଟ୍ ଭବନ’ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ଅଚାନକ ତା’ର ରଣନୀତି ବଦଳାଇ ଏୟାରଷ୍ଟ୍ରାଇକ୍ ଦ୍ବାରା କିବ୍କୁ ଛାରଖାର କରିଦେବାକୁ ବିଶାଳ ଯୋଜନା କରିଛି । କ୍ଷେପଣାସ୍ତ୍ର ମାଡ଼ରେ କ୍ୟାବିନେଟ୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି ଏବଂ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ୟୁକ୍ରେନର ସାମରିକ ପ୍ରଶାସନ ମୁଖ୍ୟ ରବିବାର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନ ସରକାରଙ୍କ ଏହି ମୁଖ୍ୟ ଭବନରୁ ଆଜି ସକାଳେ ଘନ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ରୁଷ୍ ରାତିସାରା ଆକ୍ରମଣ ଜାରି ରଖିଥିବା ବେଳେ ଏଥିରେ ଜଣେ ଶିଶୁ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ସରକାରୀ ମୁଖ୍ୟାଳୟ ସମେତ ରାଜଧାନୀର ୩୦ରୁ ଅଧିକ କୋଠା ଛାରଖାର ହୋଇଥିବା ରିପୋର୍ଟ ମିଳିଛି। କିବ୍ ମେୟର କହିଛନ୍ତି ଯେ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରି ପ୍ରମୁଖ ଅଂଚଳରେ ଅଧିକ ବିପର୍ଯ୍ୟୟ ଘଟାଇବାକୁ ରୁଷ୍ ପ୍ରୟାସ କରିଛି।
ୟୁକ୍ରେନର ପ୍ରଧାନମନ୍ତ୍ରୀ ୟୁଲିଆ ସିଭ୍ରେଡେନ୍କୋ କହିଛନ୍ତି ଯେ ଯୁଦ୍ଧ ସମୟରେ ପ୍ରଥମ ଥର ପାଇଁ ଶତ୍ରୁ ଆକ୍ରମଣରେ ୟୁକ୍ରେନର ପ୍ରମୁଖ ସରକାରୀ ଭବନ କ୍ଷତିଗ୍ରସ୍ତ ହୋଇଛି। ଜରୁରୀକାଳୀନ ଅଧିକାରୀମାନେ କହିଛନ୍ତି ଯେ ଡାର୍ନିଟସ୍କିରେ ଥିବା ଅନେକ ଆବାସିକ କୋଠାରେ ନିଆଁ ଲାଗିଯିବା ପରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସାମରିକ ପ୍ରଶାସନ ମୁଖ୍ୟ ଓଲେକ୍ଜାଣ୍ଡର ଭିଲ୍କୁଲ କହିଛନ୍ତି ଯେ କିବ୍କୁ ଛାରଖାର କରିବା ପାଇଁ ରୁଷ୍ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପରିବହନ ଏବଂ ସହରାଞ୍ଚଳ ଭିତ୍ତିଭୂମିକୁ ଟାର୍ଗେଟ କରୁଛି।