ନୂଆଦିଲ୍ଲୀ: ବାଂଲାଦେଶରେ ରାଜନୈତିକ ବିଶୃଙ୍ଖଳା ଦେଖାଦେଇଛି। ସଂରକ୍ଷଣ ପ୍ରସଙ୍ଗରେ ଆରମ୍ଭ ହୋଇଥିବା ହିଂସା ସମଗ୍ର ବାଂଲାଦେଶକୁ ଗ୍ରାସିଛି। ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶରେ ଲୁଟ୍‌ପାଟ୍ ଓ ଜଳାପୋଡ଼ା ଜାରି ରହିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶ ଛାଡି ଭାରତରେ ଆଶ୍ରୟ ନେବାକୁ ପଡିଛି।

Advertisment

ବାଂଲାଦେଶରେ ମୌଳିବାଦୀଙ୍କ ଏହି କାର୍ଯ୍ୟକୁ ସବୁଆଡେ ନିନ୍ଦା କରାଯାଉଛି। ବାଂଲାଦେଶର ଜଣାଶୁଣା ଲେଖକ ତସଲିମା ନାସିରିନ୍ ମଧ୍ୟ ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ସେ ଦାୟୀ କରିଛନ୍ତି।

ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନାସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେଉଁମାନଙ୍କ ପାଇଁ ଶେଖ ହସିନା ମୋତେ ଦେଶରୁ ବାହାର କରିଥିଲେ। ଆଜି ସେମାନଙ୍କ ଯୋଗୁ ହସିନା ନିଜେ ଦେଶ ଛାଡିଛନ୍ତି। ଏଭଳି ସ୍ଥିତି ପାଇଁ ହସିନା ନିଜେ ଦାୟୀ। ମୋତେ ଆଉ ଦେଶକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା।

୧୯୯୯ରେ ମ‌ୋ ମା’ଙ୍କର ଦେହ ଖରାପ ଥିଲା। ମୁଁ ତାଙ୍କୁ ଦେଖିବାକୁ ଚାହୁଁଥିଲି। ମୁଁ ବାଂଲାଦେଶକୁ ଯାଇଥିଲି। ମାତ୍ର ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ହସିନା ମୋତେ ଦେଶରୁ ବାହାର କରିଥିଲେ। ସେହି ମୌଳବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡିତ ଅଛନ୍ତି ଯେଉଁମାନେ ଆଜି ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛନ୍ତି। ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ହସିନା ସବୁବେଳେ ପ୍ରୟାସ କରୁଥିଲେ। ଆଜି ତାହାର ଫଳ ତାଙ୍କୁ ଭୋଗୀବାକୁ ପଡ଼ିଛି।

ତସଲିମା ନାସିରିନ୍ ଲେଖିଛନ୍ତି, ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଛି। ସେ ନିଜ ପରିସ୍ଥିତି ପାଇଁ ଦାୟୀ। ସେ ମୌଳବାଦୀମାନଙ୍କୁ ଗୁରୁତ୍ବ ଦେଉଥିଲେ। ନିଜ ଲୋକଙ୍କୁ ଦୁର୍ନୀତିରେ ଜଡିତ ହେବାକୁ ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ସେନା ଶାସନ କରିବା ଉଚିତ୍ ନୁହେଁ। ରାଜନୈତିକ ଦଳ ଗଣତନ୍ତ୍ର ଏବଂ ଧର୍ମନିରପେକ୍ଷତା ଆଣିବା ଉଚିତ୍ ବୋଲି ତସଲିମା କହିଛନ୍ତି।