ଯବାନଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ଜଣେ ସେନା ଯବାନଙ୍କୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ୨୩ ବର୍ଷୀୟ ଯବାନ ଇର୍‌ଫାନ୍‌ ଅହମଦ ମୀରଙ୍କ ଗୁଳିବିଦ୍ଧ ଶରୀରକୁ ଆଜି ସୋପିଆନର ଏକ ଫଳ ବଗିଚା ନିକଟରୁ ଉଦ୍ଧାର କରାଯାଇଛି। ଇର୍‌ଫାନ ଉତ୍ତର କଶ୍ମୀରର ବାନ୍ଦିପୁରାରେ ଟେରିଟୋରିଆଲ ସେନା ୟୁନିଟ୍‌ରେ କାର୍ଯ୍ୟରତ ଥିଲେ। ତେବେ ସେ ୧୦ ଦିନ ଛୁଟିରେ ସୋପିଆନକୁ ନିଜ ଘରକୁ ଆସିଥିଲେ। ନଭେମ୍ବର ୨୬ ତାରିଖରେ ଛୁଟି ସରିବାପରେ ସେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ ବୋଲି ସେନା ପ୍ରବକ୍ତା କହିଛନ୍ତି। ହେଲେ ଗତ ଶୁକ୍ରବାର ଦିନ ଇର୍‌ଫାନ୍‌ ଘର ଛାଡ଼ିବାପରେ ଆଉ ଘରକୁ ଫେରିନଥିଲେ। ଘର ଲୋକ ଖୋଜାଖୋଜି କରିଥିଲେ ବି ପାଇନଥିଲେ। କିନ୍ତୁ ଇରଫାନ୍‌ଙ୍କ ଘର ନିକଟରୁ ମାତ୍ର ୨୦୦ ମିଟର ଦୂରରେ ସ୍ଥାନୀୟ ଲୋକେ ଇରଫାନ୍‌ଙ୍କ ଗୁଳିବିଦ୍ଧ ଶରୀରକୁ ଦେଖିବାପରେ ପୁଲିସରେ ଖବର ଦେଇଥିଲେ। ଏହା ଆତଙ୍କବାଦୀଙ୍କ କାଣ୍ଡ ବୋଲି ବିଶ୍ୱାସ କରାଯାଉଛି। ଇରଫାନଙ୍କୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ଡିଜି ଏସପି ବୈଦ କହିଛନ୍ତି। ଇରଫାନ୍‌ଙ୍କ ହତ୍ୟା ଘଟଣାକୁ ନେଇ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆତଙ୍କବାଦୀଙ୍କ ଏଭଳି ବର୍ବର କାଣ୍ଡ କେବେହେଲେ ଜମ୍ମୁ କଶ୍ମୀରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା କାର୍ଯ୍ୟକୁ ଦୁର୍ବଳ କରିପାରିବ ନାହିଁ ବୋଲି କହିଛନ୍ତି। ଚଳିତ ବର୍ଷ ମେ’ ମାସରେ କଶ୍ମୀରର ଜଣେ ସେନା ଅଧିକାରୀଙ୍କୁ ସୋପିଆନ ଜିଲ୍ଲାରେ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ। ସେହିପରି ଗତ ସେପ୍ଟେମ୍ବର ମାସରେ ଜଣେ ବିଏସ୍‌୍‌ଏଫ ଯବାନ ଛୁଟି କାଟିବାକୁ ନିଜ ଘରକୁ ଯାଇଥିବାବେଳେ ଉତ୍ତର କଶ୍ମୀରର ବାନ୍ଦିପୁରାରେ ତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର