୯ ବର୍ଷ ପରେ ନିଖୋଜ ବାଳିକା ମିଳିଲା: ଅପହର୍ତ୍ତା ଓ ପତ୍ନୀ ଗିରଫ

ମୁମ୍ବାଇ: ୯ ବର୍ଷ ତଳେ ଜଣେ ୭ ବର୍ଷର ଝିଅ ନିଖୋଜ ହୋଇଯାଇଥିଲା। ମୁମ୍ବାଇ ପୁଲିସ ଏକ ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁ ୧୬ ବର୍ଷର ଝିଅଟି ତା’ ପରିବାରକୁ ଫେରିପାରିଛି। ପୁଲିସ ଝିଅକୁ ୯ ବର୍ଷ ତଳେ ଅପହରଣ କରିନେଇଥିବା ଅଭିଯୁକ୍ତ ହ୍ୟାରି ଡି’ସୁଜା ଓ ତାଙ୍କ ପତ୍ନୀକୁ ଗିରଫ କରିଛି। ପୁଲିସର କହିବା ଅନୁସାରେ ପୂଜା ନାମ୍ନୀ ଝିଅଟି ତା’ ବାପାମାଆଙ୍କ ସହ ଅନ୍ଧେରୀ ଅଞ୍ଚଳରେ ରହେ। ୨୦୧୩ ଜାନୁଆରି ୨୨ରେ ସେ ସ୍କୁଲ୍‌କୁ ଯାଇ ଆଉ ଘରକୁ ଫେରିଲାନି। ତା’ର ବାପାମାଆ ଡିଏନ୍‌ ନଗର ପୁଲିସରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ପୂଜା ପୁଲିସକୁ କହିଛି ଯେ ଡି’ସୁଜା ଓ ତା’ ସ୍ତ୍ରୀ ସୋନୀ ତାକୁ ମାରଧର କରୁଥିଲେ ଓ ତାକୁ ଘରର ଚାକରାଣୀ ପରି ଖଟାଉଥିଲେ। ସେ ଆଉ ଜଣେ ମହିଳାଙ୍କୁ ତା’ର ଦୁଃଖ ବିଷୟରେ କହିଥିଲା। କିଛିବର୍ଷ ତଳେ ତାକୁ ଅପହରଣ କରି ଆଣି ଏଠାରେ ଖଟାଯାଉଛି ବୋଲି ସେ କହିଥିଲା। ମହିଳା ଜଣକ ଏ ସମ୍ପର୍କରେ ପୁଲିସକୁ ଖବର ଦେଲେ। ତା’ପରେ ପୁଲିସ ପୂଜା ସହ ଯୋଗାଯୋଗ କରି ଜାଣିବାକୁ ପାଇଲା ଯେ ସେ ହିଁ ୯ ବର୍ଷ ତଳେ ନିଖୋଜ ହୋଇଥିବା ଝିଅ। ଡିଏନ୍‌ ନଗର ପୁଲିସ ଡି’ସୁଜା ଦମ୍ପତିଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଏହି ଦମ୍ପତି ସେମାନଙ୍କ ଝିଅ ନଥିବାରୁ ପୂଜାକୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କର ଏକ ଝିଅ ଜନ୍ମ ହେବାପରେ ପୂଜାକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର