୫ କୋଟିର ମୁଣ୍ଡ ଜାମିନ ଦାବିରେ ଅପହୃତ ହୋଇଥିବା ଚାର୍ଟାଡ୍ ଆକାଉଣ୍ଟାଣ୍ଟଙ୍କୁ ବିହାରରୁ ଉଦ୍ଧାର କଲା ପୁଲିସ୍; ୪ ଅପହରଣକାରୀ ଗିରଫ
ସିଲଗୁରି/ ମୁଜାଫରପୁର: ୫ କୋଟି ଟଙ୍କାର ମୁଣ୍ଡ ଜାମିନ ଦାବି ରଖି କେତେକ ଦୁର୍ବୃତ୍ତ ପଶ୍ଚିମବଙ୍ଗର ସିଲିଗୁରିରୁ ଅପହରଣ କରି ନେଇଥିବା ଜନୈକ ଚାର୍ଟାଡ୍ ଆକାଉଣ୍ଟାଣ୍ଟ (ସିଏ)ଙ୍କୁ ଆଜି ପୁଲିସ୍ ବିହାରର ମୁଜାଫରପୁର ଅଞ୍ଚଳରୁ ଉଦ୍ଧାର କରିଛି। ଏଥିସହ ସଂପୃକ୍ତ ସିଏଙ୍କୁ ଅପହରଣ କରି ନେଇଥିବା ୪ ଜଣ ଅପହରଣକାରୀଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ସପ୍ତାହରେ କେତେକ ଦୁର୍ବୃତ୍ତ ପଶ୍ଚିମବଙ୍ଗର ସିଲିଗୁରିରେ ରହୁଥିବା ୪୫ ବର୍ଷ ବୟସ୍କ ଜଣେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ (ସିଏ)ଙ୍କୁ ଅପହରଣ କରି ନେଇଥିଲେ। ପରେ ସଂପୃକ୍ତ ସିଏଙ୍କୁ ମୁଣ୍ଡ ଜାମିନ ରଖିବା ସହ ଦୁର୍ବୃତ୍ତମାନେ ତାଙ୍କ ମୁକ୍ତି ପାଇଁ ତାଙ୍କର ପରିବାର ବର୍ଗଙ୍କୁ ଫୋନ୍ କରି ସେମାନଙ୍କ ଠାରୁ ୫ କୋଟି ଟଙ୍କାର ଅର୍ଥ ଦାବୀ କରିଥିଲେ।
ଏ ସଂପର୍କରେ ପୁଲିସ୍ରେ ଅଭିଯୋଗ ହେବାପରେ ପୁଲିସ୍ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ଅପହରଣକାରୀଙ୍କର ମୋବାଇଲକୁ ଟ୍ରାକ୍ କରି ସେମାନଙ୍କୁ ଧରିବା ପାଇଁ ସେମାନଙ୍କ ପିଛା କରୁଥିବା ଜାଣିବା ପରେ ସେମାନେ ପୁଲିସ୍କୁ ଭୁଆଁ ବୁଲାଇବା ଉଦ୍ଦେଶ୍ୟରେ ଘନ ଘନ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରିଥିଲେ। କେତେବେଳେ ଗୋପାଳଗଞ୍ଜ ତ କେତେବେଳେ ବିତିହା ଆଉ କେତେବେଳେ ମୋତିହାରିରେ ରହି ସେମାନେ ପୁଲିସ୍କୁ ଚକ୍ମା ଦେଉଥିଲେ। ଶେଷରେ ଏମାନଙ୍କୁ ଗିରଫ କରିବା ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିଲା।
ଆଜି ଏହି ଦୁର୍ବୃତ୍ତମାନେ ମୁଜାଫରପୁର ଅଞ୍ଚଳରେ ଆତ୍ମଗୋପନ କରିଥିବା ଜାଣିବା ପରେ ପୁଲିସ୍ର ଏହି ସ୍ୱତନ୍ତ୍ର ଟିମ୍ ସେମାନଙ୍କ ଉପରେ ଚଢ଼ାଉ କରି ୪ ଅପହରଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ କବଳରୁ ଅପହୃତ ହୋଇଥିବା ସିଏଙ୍କୁ ମଧ୍ୟ ଉଦ୍ଧାର କରିଥିଲା। ଗିରଫ ହୋଇଥିବା ୪ ଅପହରଣକାରୀ ହେଲେ ସିଲିଗୁରିର ରଣଜିତ୍ ଗିମିରି, ଆସାମ ତିନସୁକିଆର ରବିନ୍ ଉରାଙ୍ଗ ଓ ଅନଓ୍ଵର ହୁସେନ୍ ଏବଂ ଗୋପାଳଗଞ୍ଜର ଫୈଜ୍ ଅହମ୍ମଦ। ଏଥିସହ ଏହି ଅପହରଣକାରୀମାନଙ୍କ ନିକଟରୁ ପୁଲିସ୍ ଗୋଟିଏ ଏସ୍ୟୁଭି ଗାଡ଼ି, ନଗଦ ୪୭ ଲକ୍ଷ ଟଙ୍କା, ୧୧ଟି ମୋବାଇଲ ସମେତ ଗୋଟିଏ ପିସ୍ତଲ ଓ ଚହୁ ପରିମାଣର ଗୁଳିଗୋଳା ଜବତ କରିଛି।