ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ୩୪ ବର୍ଷୀୟା ଯୋଗ ଶିକ୍ଷକ ମୃତ୍ୟୁ ମୁହଁରୁ ଫେରିଛନ୍ତି। ତାଙ୍କୁ ଅପହରଣ କରାଯିବା ପରେ ଉଲଗ୍ନ କରି ଅକଥନୀୟ ନିର୍ଯାତନା ଦିଆଯାଇଥିଲା ଏବଂ ଜିଅନ୍ତା ପୋତି ଦିଆଯାଇଥିଲା। କିନ୍ତୁ ଶ୍ବାସକ୍ରିୟା ଉପରେ ତାଙ୍କ ଅସାଧାରଣ ନିୟନ୍ତ୍ରଣ ପାଇଁ ସେ ମରୁ ମରୁ ବଞ୍ଚି ଯାଇଛନ୍ତି ଏବଂ ମାଟିତଳୁ ନିଜ ଜୀବନ ନେଇ ଫେରିଛନ୍ତି। ଉକ୍ତ ଯୋଗ ଶିକ୍ଷକଙ୍କ ନାଁ ତମନ୍ନା। ତମନ୍ନାଙ୍କୁ ଦେବନାହଲ୍ଲି ନିକଟରୁ ଅପହରଣ କରାଯାଇଥିଲା। ଜଣେ ମହିଳାଙ୍କ ସମେତ ତାଙ୍କୁ ୫ ଜଣ ଅପହରଣ କରିଥିଲେ। ବିନ୍ଦୁ ନାମକ ଜଣେ ମହିଳା ତମନ୍ନାଙ୍କ ସହ ତାଙ୍କ ସ୍ବାମୀଙ୍କ ସମ୍ପର୍କ ଥିବା ସନ୍ଦେହ କରିଥିଲେ। ସେ ଏଥିପାଇଁ ଜଣେ ପ୍ରାଇଭେଟ୍ ଡିଟେକ୍ଟିଭ୍ ସତୀଶ ରେଡ୍ଡିଙ୍କ ସହଯୋଗ ନେଇଥିଲେ। ସତୀଶ ଯୋଗ ଶିକ୍ଷକ ତମନ୍ନାଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା କରିଥିଲେ। ଯୋଗ ଶିଖିବା ଆଳରେ ସେ ତାଙ୍କ ସହ ବନ୍ଧୁତା ଆରମ୍ଭ କରିଥିଲେ। ଅକ୍ଟୋବର ୨୩ ତାରିଖ ସକାଳେ ସତୀଶ ତାଙ୍କୁ ରାଇଫଲ ସୁଟିଂ ସେସନ୍ ପାଇଁ ନେଇଥିଲେ।
ସତୀଶଙ୍କ ସହ ୪ ଜଣ ଏକ କାର୍ରେ ଆସି ତମନ୍ନାଙ୍କୁ ଏକ ଜଙ୍ଗଲକୁ ନେଇ ଯାଇଥିଲେ। ଏହାପରେ ସେମାନେ ତମନ୍ନାଙ୍କୁ ବଳପୂର୍ବକ ଘଞ୍ଚ ଜଙ୍ଗଲକୁ ନେଇ ସେଠାରେ ଉଲଗ୍ନ କରି ନିର୍ଯାତନା ଦେଇଥିଲେ ଏବଂ ତାଙ୍କ ତଣ୍ଟିକୁ ଏକ ତାରରେ ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତମନ୍ନା ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କ ଯୋଗ କୌଶଳ ଅବଲମ୍ବନ କରିଥିଲେ। ସେ କିଛି ସମୟ ପାଇଁ ନିଜ ନିଶ୍ବାସକୁ ଅଟକାଇ ନିଜକୁ ମୃତ ଦର୍ଶାଇବାକୁ ଚେଷ୍ଟା କରିଥିଲୋ। ତମନ୍ନା ମରିଯାଇଥିବା ଭାବି ଅପହରଣକାରୀମାନେ ତାଙ୍କୁ ଏକ କମ୍ ଗଭୀର ଥିବା ଖାତରେ ପୋତି ଦେଇଥିଲେ। ପୋତି ହୋଇଥିଲେ ସୁଦ୍ଧା ତମନ୍ନା ତାଙ୍କ ଯୋଗ କୌଶଳ ବଳରେ ସବୁ ଶକ୍ତି ଲଗାଇ ମାଟି ତଳୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। ଏହାପରେ ସେ ଜଙ୍ଗଲରୁ ବାହାରି ସ୍ଥାନୀୟ ଲୋକଙ୍କଠାରୁ ପୋଷାକ ମାଗିବା ସହ ସେମାନଙ୍କ ସହାୟତାରେ ଚିକ୍କବଲ୍ଲାପୁର ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ପୁଲିସ ଏହି ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ବିନ୍ଦୁ ଓ ସତୀଶ ଜେରାବେଳେ ସେମାନଙ୍କ ଅପରାଧ ସ୍ବୀକାର କରିଥିବା ଜଣାପଡ଼ିଛି।