କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ନାବାଳିକାଙ୍କ ବୟସ ୯। ତାଙ୍କ ଘର ମହିଶାମଢ଼ିରେ। ସେ ଶୁକ୍ରବାର କୋଚିଂ କ୍ଲାସ୍ ଯାଇ ଆଉ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକ ନିଖୋଜ ରିପୋର୍ଟ ଦାଏର କରିଥିଲେ। ବହୁ ଖୋଜାଖୋଜି ପରେ ଶନିବାର ସକାଳେ ନାବାଳିକାଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଏକ ଖୋଲା ପଡ଼ିଆରୁ ମିଳିଛି। ଏହି ଘଟଣା ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ଉତ୍ତ୍ୟକ୍ତ ଲୋକେ ଏକ ପୁଲିସ ଫାଣ୍ଡିରେ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି। ଶିଶୁକୁ ଅପହରଣ ଓ ହତ୍ୟା ମାମଲାରେ ୧୯ ବର୍ଷୀୟ ମୋସ୍ତାକିନ ସର୍ଦ୍ଦାର ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି।
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଦାବି କରିଛନ୍ତି। ପୁଲିସ ସେମାନଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେମାନେ ଅଭିଯୋଗ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପୁଲିସ ଫାଣ୍ଡି ବାହାରେ ଥିବା ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପୀଡ଼ିତାଙ୍କ ପରିବାର ସଦସ୍ୟ ପୁଲିସ ଫାଣ୍ଡିରେ ଏତଲା ରୁଜୁ କରିଥିଲେ କିନ୍ତୁ ପୁଲିସ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଦାବି କରିଛନ୍ତି ଯେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସେ କହିଛନ୍ତି, ଆଉ କିଛି ଦିନ ପରେ ଦୁର୍ଗା ପୂଜା, କିନ୍ତୁ ନିରୀହ ଝିଅମାନଙ୍କ ସହ ଏଭଳି ଘଟଣା ଘଟୁଛି। ଏଥିରୁ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ପ୍ରଶାସନ ଉପରେ କିଛି ନିୟନ୍ତ୍ରଣ ନାହିଁ। ରାଜ୍ୟରେ ବଢ଼ୁଥିବା ଏଭଳି ଅପରାଧ ଘଟଣା ପାଇଁ ମମତା ବାନାର୍ଜୀଙ୍କର ତାଙ୍କ ପଦବିରେ ରହିବାର ନୈତିକ ଅଧିକାର ନାହିଁ। ମାମଲାରେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା ବଢ଼ାଇ ଦିଆଯାଇଛି।