ଡେରା ମୁରାଦ ଜାମାଲି (ସିନ୍ଧ୍‌): ପାକିସ୍ତାନର ସିନ୍ଧ ଅଞ୍ଚଳର ଡେରା ମୁରାଦ ଜାମାଲିରେ ଆଜି ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ୍‌ ଓ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ସାହାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି। ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ ପାଇଁ ଜରୁରୀ ପଦକ୍ଷେପ ନିମନ୍ତେ ଦାବି କରାଯାଇଛି। ଫେବ୍ରୁଆରି ୧୫ରେ ହିନ୍ଦୁ ନାବାଳିକା ପ୍ରିୟା କୁମାରୀ(୧୭)ଙ୍କୁ ସ୍ଥାନୀୟ ନୌକଟ ବଜାରରୁ କେତେକ ମୁସଲିମ୍‌ ଯୁବକ ଅପହରଣ କରିନେଇଥିଲେ। ପ୍ରିୟା କୁମାରୀଙ୍କୁ ତୁରନ୍ତ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ଦାବି କରି ଆଜି ସ୍ଥାନୀୟ ବ୍ୟବସାୟୀ ସଂଘର ନେତା ମୁଖି ମାନକ ଲାଲ, ସେଠ ତାରା ଚାନ୍ଦଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Advertisment

ଏଥିରେ ତାଜ ବେଲୁଚିର ଯୁବ ସଂଗଠନର ନେତା ଲିଆକତ୍‌ ଅଲି ଚକ୍‌କର, ହୋଲ୍‌ସେଲ୍‌ ବଜାର ସଂଘର ସଭାପତି ମିର ଜାନ୍‌ ମେଙ୍ଗାଲ୍‌, ନୱାବୁଦ୍ଦିନ୍‌ ଡୋମକି, ଖାନ୍‌ ଜାନ୍‌ ବାଙ୍ଗୁଲାଜି, ହରପଲ ଦାସଙ୍କ ସମେତ ଶତାଧିକ ସଂଖ୍ୟାରେ ସ୍ଥାନୀୟ ହିନ୍ଦୁ ବାସିନ୍ଦା ଯୋଗ ଦେଇଥିଲେ। ଅପହୃତ ପ୍ରିୟାଙ୍କ ବାପା ରମେଶ ଭୀଲ କହିଛନ୍ତି ଯେ ସେମାନଙ୍କ ଅଭିଯୋଗର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇନାହିଁ କି ପ୍ରିୟାକୁ ଉଦ୍ଧାର କରିବାକୁ ପ୍ରଚେଷ୍ଟା କରାଯାଉନାହିଁ। ଏହି ଅଞ୍ଚଳରେ ନିୟମିତ ଭାବେ ହିନ୍ଦୁ ନାବାଳିକାଙ୍କୁ ଅପହଣ କରାଯାଉଛି। ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇ ବିବାହ କରାଯାଉଥିବାରୁ ସଂଖ୍ୟାଲଘୁ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି।