ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଜାନୁଆରି ୨୨ତାରିଖରେ ପ୍ରଥମଥର ପାଇଁ କିଡ଼ନି ପ୍ରତିରୋପଣ କରାଯାଇଛି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ରହୁଥିବା ୩୨ବର୍ଷର ଯୁବକ ତିନିବର୍ଷ ହେବ କିଡନିଜନିତ ରୋଗରେ ପୀଡ଼ିତ ଥିଲେ। ଉକ୍ତ ଯୁବକଙ୍କୁ ଭୋକ ନଲାଗିବା ବାନ୍ତି ହେବା ଭଳି ସମସ୍ୟା ଦେଖା ଦେଇଥିଲା। ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ତେଣୁ ଚିକିତ୍ସା ପାଇଁ ସେ ଏମ୍ସ ଭୋପାଳର ଓପିଡ଼ି ଡାକ୍ତରଙ୍କ ନିକଟରେ ଯାଇ ପହଞ୍ଚିଥିଲେ।
ଡାକ୍ତର ଯୁବକଙ୍କ ଚିକିତ୍ସା କରି କହିଥିଲେ ତାଙ୍କର ଦୁଇଟି କିଡନି ନଷ୍ଟ ହୋଇଯାଇଛି। ବଞ୍ଚିବାକୁ ହେଲେ ଦୁଇଟି ବିକଳ୍ପ ଅଛି। ଗୋଟିଏ ହେଉଛି ଡାଏଲସିସି ନଚେତ କିଡ଼ନି ପ୍ରତିରୋପଣ କରିବାକୁ ହେବ। ଯୁବକ ଓ ତାଙ୍କ ପରିବାର କିଡନି ପ୍ରତିରୋପଣ ବିକଳ୍ପକୁ ବାଛିଥିଲେ।
ଏହାପରେ କିଡନି ଦାତାଙ୍କୁ ଖୋଜିଥିଲେ। ଅନେକ ଖୋଜଖୋଜି ପରେ ଯେଉଁ କିଡନି ଦାତାମାନେ ମିଳିଥିଲେ ସେମାନେ ଅଧିକା ଅର୍ଥ ଦାବି କରିଥିଲେ। ଯାହାକି ରୋଗୀ ଓ ତାଙ୍କ ପରିବାର ଦେବାକୁ ସକ୍ଷମ ନଥିଲେ।
ଏଭଳି ପରିସ୍ଥିତିରେ ବାପା ପୁଅକୁ କିଡନି ଦେବାକୁ ସ୍ଥିର କରି ନିଜର ପରୀକ୍ଷା କରାଇଥିଲେ। ଏହି ପରୀକ୍ଷାରେ ବାପାଙ୍କ କିଡନି ପୁଅ ଶରୀରରେ ଖାପଖାଇଯିବ ବୋଲି ଡାକ୍ତର କହିଥିଲେ। ଏହାପରେ ପ୍ରତିରୋପଣ ପ୍ରକିୟା ଆରମ୍ଭ ହୋଇଥିଲା। ଡାକ୍ତରମାନଙ୍କ କିଛିଘଣ୍ଟାର ପରିଶ୍ରମ ପରେ ସଫଳତାର ସହ ବାପାଙ୍କ କିଡନି ପୁଅ ଶରୀରରେ ପ୍ରତିରୋପଣ ହୋଇଯାଇଥିଲା। ସୁସ୍ଥ ହେବାପରେ ପୁଅଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା। ଏସବୁ ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନ ଜରିଆରେ ହୋଇଥିବାରୁ ରୋଗୀ କି ତାଙ୍କ ପରିବାରଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିନାହିଁ।