ବେଙ୍ଗାଲୁର: ଜଣେ ଜନତା ଦଳ ଏସ କର୍ମୀଙ୍କ ହତ୍ୟା ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏତେ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି ଯେ ଅପରାଧୀମାନଙ୍କୁ ଦୟାମାୟା ନ ଦେଖାଇ ଗୁଳି କରି ହତ୍ୟା କରିବାକୁ ଜଣେ ପୁଲିସ ଅଫିସରଙ୍କୁ ଫୋନ୍‌ରେ ନିର୍ଦ୍ଦେଶ ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅବଶ୍ୟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି ଯେ ସେ ଏ ପ୍ରକାର ନିର୍ଦ୍ଦେଶ ଦେଇ ନାହାଁନ୍ତି ।କ୍ଷଣିକ ଉତ୍ତେଜନାରେ ସେ ଏପରି କହିଦେଇଥିବା ନେଇ କୁମାର ସ୍ୱାମୀ ସଫେଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି କେତେକ ଅଜଣା ଦୁର୍ବୃତ୍ତ ଜନତା ଦଳ (ଏସ) କର୍ମୀ ଏଚ୍‌ ପ୍ରକାଶ କାରରେ ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ପୁଲିସକୁ ଫୋନ ଯୋଗେ କହିଥିଲେ ଯେ ପ୍ରକାଶ ଜଣେ ଭଲ ଲୋକ ଥିଲା। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ମୁଁ ଜାଣି ନାହିଁ। କିନ୍ତୁ ହତ୍ୟାକାରୀମାନଙ୍କୁ କୌଣସି ଦୟାମାୟା ନ ଦେଖାଇ ଏନ୍‌କାଉଣ୍ଟର କରି ହତ୍ୟା କର । କିଛି ଅସୁବିଧା ନାହିଁ ବୋଲି କୁମାର ସ୍ୱାମୀ କହୁଥିବାର ଭିଡ଼ିଓ ଏବେ ଭାଇରାଲ ହୋଇଛି।

Advertisment

ଏହି ଭିଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ ଏହି ପ୍ରସଙ୍ଗରେ ସଫେଇ ଦେଇଛନ୍ତି। କହିଛନ୍ତି ଯେ ଏହି ଘଟଣା ପରେ ସେ ରାଗି ଯାଇଥିଲେ। ସେ ଭାବପ୍ରବଣ ହୋଇ ଏପରି କହି ଦେଇଥିଲେ ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହା କ୍ଷଣିକ ଉତ୍ତେଜନା ଓ ଭାବପ୍ରବଣତାର କଥା, ଏହାମୁଖ୍ୟମନ୍ତ୍ରୀଙ୍କ ସୁଟ୍‌ଆଉଟ୍‌ ଅର୍ଡର ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜାରି ବିବୃତ୍ତିରେ କୁହାଯାଇଛି।