ପ୍ରେମ ପାଇଁ ସିଦ୍ଧୁଙ୍କୁ ହତ୍ୟା: ବିଚାରପତିଙ୍କ ଝିଅ ଗିରଫ

ଜାତୀୟ ସ୍ତରର ସୁଟର ଥିଲେ ସିପି ସିଦ୍ଧୁ

ନୂଆଦିଲ୍ଲୀ : ଚଣ୍ଡୀଗଡ଼ର ଜାତୀୟ ସ୍ତରର ସୁଟର ସୂକ୍ଷ୍ମନ୍‌ପ୍ରୀତ ସିଂହ ଓରଫ ସିପି ସିଦ୍ଧୁଙ୍କୁ ପ୍ରାୟ ୭ ବର୍ଷ ତଳେ ଚଣ୍ଡୀଗଡ଼ର ଏକ ପାର୍କରେ ହତ୍ୟା କରାଯାଇଥିଲା। ସିବିଆଇ ଏହି ମାମଲାରେ ଆଜି ତାଙ୍କର ପ୍ରେମିକା କଲ୍ୟାଣୀ ସିଂହଙ୍କୁ ଗିରଫ କରିଛି। ସେ ହେଉଛନ୍ତି ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସାବିନାଙ୍କ ଝିଅ। ୨୦୧୫ ହତ୍ୟାକାଣ୍ଡ ପରଠାରୁ ସେ ସନ୍ଦେହ ଘେରରେ ଥିଲେ। ପ୍ରେମ ସମ୍ପର୍କରେ ତିକ୍ତତା ଆସିବା ପରେ ଏକ ପାର୍କକୁ ଡାକି ସିଦ୍ଧୁଙ୍କୁ ହତ୍ୟା କରିଥିଲେ କଲ୍ୟାଣୀ ଏବଂ ତାଙ୍କର ଜଣେ ସହଯୋଗୀ। କଲ୍ୟାଣୀ ସିଂହଙ୍କୁ ଜେରା କରିବା ପାଇଁ ସିବିଆଇ ଚାରିଦିନିଆ ରିମାଣ୍ଡରେ ନେଇଛି।

ସିପି ସିଦ୍ଧୁ ଜଣେ କର୍ପୋରେଟ୍ ଓକିଲ ଥିଲେ ଯାହାଙ୍କୁ ୨୦୧୫ ସେପ୍ଟେମ୍ବର ୨୦ ତାରିଖରେ ଚଣ୍ଡୀଗଡ଼ର ଏକ ପାର୍କରେ ହତ୍ୟା କରାଯାଇଥିଲା। ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏସ୍‌ଏସ୍‌ ସିଦ୍ଧୁଙ୍କ ନାତି ଥିଲେ। ଅଭିଯୁକ୍ତ ଧରାନପଡ଼ିବାରୁ ପଞ୍ଜାବ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ୨୦୧୬ ଜାନୁଆରିରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର