ହାଇଦ୍ରାବାଦ: ତେଲେଙ୍ଗାନାର ଜଣେ ପୁରୋହିତ ପ୍ରେମିକାକୁ ହତ୍ୟା କରିବାପରେ ଡ୍ରେନ୍ରେ ମୃତଦେହ ଫୋପାଡ଼ିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହାଇଦ୍ରାବାଦ ସ୍ଥିତ ଏକ ମନ୍ଦିରର ପୁରୋହିତ ଆୟାଗରି ସାଇକ୍ରିଷ୍ଣା ସାରୋନଗରରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ସହ ପ୍ରେମ ସଂପର୍କରେ ଥିଲା। ମହିଳା ଜଣକ ବିବାହ ପାଇଁ ଜିଦ୍ ଧରିବାରୁ ସପ୍ତାହକ ତଳେ ସାଇ କ୍ରିଷ୍ଣା ପ୍ରେମିକା କୁରୁଗନ୍ତି ଅପ୍ସରାଙ୍କୁ ହତ୍ୟା କରି ରେଜିଷ୍ଟ୍ରାର ଅଫିସ ପଛପଟେ ଥିବା ଡ୍ରେନ୍ରେ ମୃତଦେହ ପକାଇ ଦେଇଥିଲା। ଉକ୍ତ ଅଂଚଳରେ ଅବସ୍ଥିତ ଏକ ମନ୍ଦିରରେ ହିଁ ସାଇ କ୍ରିଷ୍ଣା ପୁରୋହିତ ଥିଲା। ସପ୍ତାହକ ପରେ ଏହି ବର୍ବର ହତ୍ୟା ଲୋକଲୋଚନକୁ ଆସିଛି ଏବଂ ଅଭିଯୁକ୍ତ ପୁରୋହିତକୁ ପୁଲିସ ଗିରଫ କରିଛି। ପ୍ରେମିକାକୁ ହତ୍ୟା କରିବାପରେ ସାଇକ୍ରିଷ୍ଣା ବିଭ୍ରାନ୍ତି ସୃଷ୍ଟି କରିବାକୁ ନିଜେ ପୁଲିସରେ ଏତଲା ରୁଜୁ କରିଥିଲା।
ସାଇକ୍ରିଷ୍ଣା ଅପ୍ସରାଙ୍କୁ ନିଜ ଭାଣିଜୀ ବୋଲି ପରିଚୟ ଦେବା ସହ ପୁଲିସକୁ ବାଟବଣା କରିବା ପାଇଁ ଅନେକ ମିଥ୍ୟା ତଥ୍ୟ ରଖିଥିଲା। ଅପ୍ସରା ଭଦ୍ରାଚଲମ ଯିବାପାଇଁ ବସ୍ଷ୍ଟାଣ୍ଡ୍କୁ ଆସିଥିବା ବେଳେ ସେଠାରୁ ସେ ନିଖୋଜ ହୋଇଛନ୍ତି ବୋଲି ସାଇକ୍ରିଷ୍ଣା ପୁଲିସକୁ କହିଥିଲା। ପୁଲିସ ମାମଲାର ଖୋଳତାଡ଼ କରିବା ପରେ ଜଣାପଡ଼ିଲା ଯେ ସାଇକ୍ରିଷ୍ଣା ହିଁ ନିଜେ ଅପ୍ସରାଙ୍କୁ ହତ୍ୟା କରି ଏକ ଡ୍ରେନ୍ରେ ଶବ ଫୋପାଡ଼ିଛି। ବ୍ୟାପକ ଜେରା ପରେ ସାଇକ୍ରିଷ୍ଣା ତା’ର ଅପରାଧ ସ୍ବୀକାର କରିଛି। ସାଇକ୍ରିଷ୍ଣା ବିବାହିତ। ତା’ର ୨ଟି ସନ୍ତାନ ଅଛନ୍ତି। ସେ ୩୦ ବର୍ଷୀୟା ଅପ୍ସରାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ସାଇକ୍ରିଷ୍ଣା କହିବା ଅନୁଯାୟୀ ଅପ୍ସରା ବିବାହ ପାଇଁ ତା’ ଉପରେ ଚାପ ପକାଉଥିଲେ। ତେଣୁ ସାଇକ୍ରିଷ୍ଣା ତାକୁ ହତ୍ୟା କରିବାପାଇଁ ନିଷ୍ପତ୍ତି ନେଲା। ପୁଲିସ ଅନୁଯାୟୀ ଅଭିଯୁକ୍ତ ସାଇକ୍ରିଷ୍ଣାଙ୍କୁ ଏକ ନିଛାଟିଆ ଅଞ୍ଚଳକୁ ଡାକି ହତ୍ୟା କରିଥିଲା ଏବଂ ତାଙ୍କ ମର ଶରୀରକୁ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରେ ପ୍ୟାକ୍ କରି ସେ ସାରୋନଗର ଆଣିଥିଲା ଏବଂ ତାହାକୁ ଏକ ଡ୍ରେନ୍ରେ ପକାଇ ଦେଇଥିଲା।