ଅସୁସ୍ଥ ଅଛନ୍ତି କିମ! ସାତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନେଇଛନ୍ତି ଲମ୍ବା ବ୍ରେକ

ନୂଆଦିଲ୍ଲୀ: ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ । ଆଉ ପୁଣିଥରେ କିମ ଜୋଙ୍ଗ ଉନ୍ ଅସୁସ୍ଥ ଥିବାର ଗୁଜବ ତୀବ୍ର ହୋଇଛି। ୨୦୧୪ ପରଠାରୁ ଦୀର୍ଘ ସମୟ ଧରି କିମଙ୍କ ନିଖୋଜ ହେବାର ଏହା ହେଉଛି ପ୍ରଥମ ମାମଲା | ଏବେ କିମଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନଥିବାରୁ ଗୁଜବ ସୃଷ୍ଟି ହୋଇଛି |

ଦେଶର ଗଣମାଧ୍ୟମ ଅନୁଯାୟୀ କିମ ଜୋଙ୍ଗଙ୍କୁ ଗତ ଅକ୍ଟୋବର ୧୨ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ସେ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଏକ କ୍ଷେପଣାସ୍ତ୍ର ପ୍ରଦର୍ଶନୀରେ ଉପସ୍ଥିତ ଥିଲେ। ତେବେ ସେବେଠାରୁ କିମଙ୍କ ବାବଦରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଏପର୍ଯ୍ୟନ୍ତ କିମଙ୍କୁ ଉତ୍ତର କୋରିଆର କୌଣସି ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ। ୱାଶିଂଟନ୍ ସ୍ଥିତ ୱାଚଡଗ୍ ୱେବସାଇଟ୍ ଏନ.କେ ନ୍ୟୁଜ୍ ଅନୁଯାୟୀ, ଦେଶର ପୂର୍ବ ଉପକୂଳରେ ଅର୍ଥାତ ପ୍ୟୋଙ୍ଗୟାଙ୍ଗର ଏକ ହ୍ରଦ କୂଳରେ ଥିବା ଏକ ଘରେ ଗତିବିଧି ଦେଖିବାକୁ ମିଳୁଛି |

ସାଟେଲାଇଟ୍ ଚିତ୍ରରୁ ଏବାବଦରେ ଜଣାପଡିଥିବାବେଳେ ମିଡିଆ ରିପୋର୍ଟରେ କୁହାଯାଇଛି ଯେ କିମ ଅସୁସ୍ଥ ହୋଇପଡିଛନ୍ତି ଓ ଏବେ ଘରେ ସମୟ ବିତାଉଛନ୍ତି | ଗଣମାଧ୍ୟମ ରିପୋର୍ଟ ମୁତାବକ ସର୍ବସାଧାରଣରେ ଉପସ୍ଥିତ ନଥିଲେ ମଧ୍ୟ କିମ ସରକାରୀ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ଏହି ସମୟ ମଧ୍ୟରେ ଅନ୍ୟ ରାଷ୍ଟ୍ରଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କିମ ଏଭଳି ଏକ ସମୟରେ ଅଦୃଶ୍ୟ ହୋଇଯାଇଛନ୍ତି ଯେତେବେଳେ ଉତ୍ତର କୋରିଆ ସେନା ଅନେକ ସାମରିକ ପରୀକ୍ଷା କରିଛି | ଜାତିସଂଘର ନିଷ୍ପତ୍ତିକୁ ଉଲ୍ଲଂଘନ କରି ଉତ୍ତର କୋରିଆ ମଧ୍ୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି।

ସମ୍ବନ୍ଧିତ ଖବର