ଉତ୍ତର କୋରିଆର ‘ମନ୍ଷ୍ଟର୍ ମିସାଇଲ୍’ ଉତ୍କ୍ଷେପଣ ପର୍ଯ୍ୟବେକ୍ଷଣ କଲେ କିମ୍ ଜୋଙ୍ଗ୍ ଉନ୍ ଓ ତାଙ୍କ ଝିଅ
ସିଓଲ୍: ଅଳ୍ପଦିନ ତଳେ ଝିଅ ସହିତ ମିଶି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ପ୍ରତ୍ୟକ୍ଷ ଭାବେ ଦେଶର ସବୁଠୁ ଶକ୍ତିଶାଳୀ ‘ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍’ର ବ୍ୟବହାରିକ ଉତ୍କ୍ଷେପଣର ପର୍ଯ୍ୟବେକ୍ଷଣ କରିଥିବା ସମୟ ଫଟୋ ରାଷ୍ଟ୍ରାୟାତ ଗଣମାଧ୍ୟମ ପ୍ରକାଶ କରିଛି।
ଗୁରୁବାର ଦିନ ଉତ୍କ୍ଷେପଣ କରାଯାଇଥିବା ‘ହ୍ବାସୋଙ୍ଗ୍-୧୭’ କ୍ଷେପଣାସ୍ତ୍ରଟି ହେଉଛି ଚଳିତ ବର୍ଷ ପିୟୋଗ୍ୟାଙ୍ଗ୍ର ଦ୍ବିତୀୟ ‘ଆଇସିବିଏମ୍’ ପରୀକ୍ଷଣ ବୋଲି ରାଷ୍ଟ୍ରାୟାତ ‘କୋରିୟାନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ (କେସିଏନ୍ଏ) ରିପୋର୍ଟ କରିଛି। ଆମେରିକା ଓ ଦକ୍ଷିଣ କୋରିଆ ଚଳାଇଥିବା ମିଳିତ ସାମରାଭ୍ୟାସର ଜବାବରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିବା ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ସରକାରୀ ସମ୍ବାଦପତ୍ର ‘ରୋଡୋଙ୍ଗ୍ ସିନ୍ମୁନ୍’ରେ ଛାପା ଯାଇଥିବା ଫଟୋରେ ଦେଖାଯାଉଛି ‘ମନ୍ଷ୍ଟର୍ ମିସାଇଲ୍’ ବୋଲି ବିଶ୍ଳେଷଣକାରୀମାନେ ନାମକରଣ କରିଥିବା କଳା-ଧଳା କ୍ଷେପଣାସ୍ତ୍ର ‘ହ୍ବାସୋଙ୍ଗ୍-୧୭’କୁ ଆକାଶକୁ ଉତ୍କ୍ଷେପଣ କରାଯାଉଥିବାର ଦୃଶ୍ୟ କିମ୍ ଦେଖୁଛନ୍ତି।

ଆଉ କେତେକ ଫଟୋରେ ଦେଖାଯାଉଛି କିମ୍ ତାଙ୍କ ଝିଅ ସହିତ ମିଶି ‘ହ୍ବାସୋଙ୍ଗ୍-୧୭’ର ଉତ୍କ୍ଷେପଣ ଦେଖୁଛନ୍ତି। କିନ୍ତୁ, ତାଙ୍କ ଝିଅର ନାଁ କ’ଣ ସରକାରୀ ସମ୍ବାଦ ପତ୍ର କେବେ ଉଲ୍ଲେଖ କରିନାହିଁ। ମାତ୍ର, ସେ ତାଙ୍କର ଦ୍ବିତୀୟ ସନ୍ତତି ଜୁ’ ଆୟେ ବୋଲି କୋରିଆ ଗୁଇନ୍ଦା ଚିହ୍ନଟ କରିଛି।
ଏହାଛଡ଼ା, ଉକ୍ତ କ୍ଷେପଣାସ୍ତ୍ରଟି ପୃଥିବୀରୁ ଆକାଶକୁ ଉଠୁଥିବା ସମୟରେ ଉତ୍ତୋଳିତ ଦୃଶ୍ୟ ମଧ୍ୟ ସମ୍ବାଦପତ୍ରରେ ଛାପା ଯାଇଛି। କ୍ଷେପଣାସ୍ତ୍ରରେ ଲାଗିଥିବା କ୍ୟାମେରାରେ ଉକ୍ତ ଫଟୋ ଉଠାଯାଇଥିଲା।
ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ ‘ଆଇସିବିଏମ୍’ ୟୁନିଟ୍ର ଯୁଦ୍ଧ ପ୍ରସ୍ତୁତି ବୋଲି ‘କେସିଏନ୍ଏ’ ସୁନିଶ୍ଚିତ କରିଥିଲେ ବି କହିଛି ଯେ, ପଡ଼ୋଶୀ ଦେଶମାନଙ୍କ ସୁରକ୍ଷା ପ୍ରତି ଏହାର କୌଣସି ନକାରାତ୍ମକ ପ୍ରଭାବ ନାହିଁ।