ଟ୍ରମ୍ପ୍‌ଙ୍କ ସହ ଶିଖର ବୈଠକ ଲାଗି ଟ୍ରେନ୍‌ରେ ଭିଏତ୍‌ନାମ ଗଲେ କିମ୍‌ ଜୋଙ୍ଗ୍‌-ଉନ୍‌

ସିଓଲ୍‌: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଶିଖର ବୈଠକ ରବିବାର ଦିନ ଭିଏତ୍‌ନାମର ରାଜଧାନୀ ହାନୋଇରେ ଆୟୋଜନ କରାଯାଉଛି।

ଫେବ୍ରୁଆରି ୨୭ ଓ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ବୈଠକରେ ଯୋଗ ଦେବାକୁ ଶନିବାର ଦିନ କିମ୍‌ ପିୟୋଙ୍ଗ୍ୟାଙ୍ଗ୍‌ରୁ ଟ୍ରେନ୍‌ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ସହ ଅଛନ୍ତି ବରିଷ୍ଠ ଉତ୍ତର କୋରୀୟ ଅଧିକାରୀମାନେ।

କିମ୍‌ଙ୍କ ସହ ଯାତ୍ରା କରିଥିବା ପ୍ରତିନିଧି ଦଳଙ୍କ ମଧ୍ୟରେ ଅଛନ୍ତି ଗତବର୍ଷ ସିଙ୍ଗାପୁର ଠାରେ ଟ୍ରମ୍ପ୍‌ ଓ କିମ୍‌ଙ୍କ ମଧ୍ୟରେ ହୋଇଥିବା ଶିଖର ବୈଠକରେ ଭାଗ ନେଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ରାଷ୍ଟ୍ରଦୂତ କିମ୍‌ ୟୋଙ୍ଗ୍‌ ଚୋଲ୍‌, ଉତ୍ତର କୋରିଆର ଓ୍ଵାକର୍ସ ପାର୍ଟିର କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ ରି’ ସୁ ୟୋଙ୍ଗ୍‌ ଏବଂ ବୈଦେଶିକ ମନ୍ତ୍ରୀ ରି’ ୟୋଙ୍ଗ୍‌ ହୋ ଆଦି ଉତ୍ତର କୋରିଆର ଶୀର୍ଷସ୍ତରୀୟ ଅଧିକାରୀମାନେ। କିମ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ମଧ୍ୟ ତାଙ୍କ ସହ ଯାତ୍ରା କରିଥିବା ଜଣାପଡ଼ିଛି।

ଆଗାମୀ ଦିନରେ ଖୁବ୍‌ ଶୀଘ୍ର କିମ୍‌ ମଧ୍ୟ ସରକାରୀ ସଦିଚ୍ଛା ଗସ୍ତରେ ଭିଏତ୍‌ନାମ ଯିବେ।

ଚୀନ୍‌ ସୀମାନ୍ତରେ ଥିବା ଏକ ଷ୍ଟେସନ୍‌ରୁ ଯେଉଁ ରାସ୍ତା ଦେଇ କିମ୍‌ ହାନୋଇ ଯାତ୍ରା କରିବେ ସେଥିରେ ଫେବ୍ରୁଆରି ୨୬ ତାରିଖ ଦିନ ଟ୍ରାଫିକ୍‌ ଚଳାଚଳ ବନ୍ଦ ରହିବ।

ଟ୍ରେନ୍‌ରେ ଯାତ୍ରା କରିବାକୁ କିମ୍‌ ଜୋଙ୍ଗ୍‌-ଉନ୍‌ ଭାରି ସୁଖ ପାଆନ୍ତି। ତାଙ୍କ ବାପା ଦ୍ୱିତୀୟ କିମ୍‌ ଜୋଙ୍ଗ୍‌, ଜେଜେ ବାପା କିମ୍‌ ଦ୍ୱିତୀୟ ସୁଙ୍ଗ୍‌ ମଧ୍ୟ ରେଳଗାଡ଼ିରେ ଯାତ୍ରା କରୁଥିଲେ।

ସମ୍ବନ୍ଧିତ ଖବର