ଚୀନ୍‌ ଗସ୍ତରେ ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌

ବେଜିଂ : ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଟ୍ରେନରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସବୁବେଳେ ପରମାଣୁ ପରୀକ୍ଷଣ ପାଇଁ ଚର୍ଚ୍ଚାରେ ରହୁଥିବା କିମ୍‌ ଜୋଙ୍ଗ ଏଥର ଏକ ସ୍ୱତନ୍ତ୍ର ଟ୍ରେନ୍‌ରେ ଚୀନ ଗସ୍ତରେ ଆସିଛନ୍ତି। ଏହି ସ୍ୱତନ୍ତ୍ର ଟ୍ରେନ ଯେତେବେଳେ ଚୀନର ରାଜଧାନୀ ବେଜିଂରେ ପହଞ୍ଚିଲା ସେତେବେଳେ ସାରା ବିଶ୍ୱ ଜାଣିଲା। ପ୍ରଥମେ ଏହି ଟ୍ରେନରେ କିଏ ଯାତ୍ରା କରୁଥିଲେ ସେ ନେଇ କାହା ପାଖରେ ଖବର ନଥିଲା,ଏପରିକି ଚୀନ ବିଦେଶ ମନ୍ତ୍ରାଳୟ ପାଖରେ ମଧ୍ୟ ଏନେଇ କୌଣସି ସୂଚନା ନଥିବା କହିଥିଲା। ପରେ ଚୀନ ସରକାରୀ ଗଣମାଧ୍ୟମ ସିହ୍ନ୍ରୁଆ ନ୍ୟୁଜ ପକ୍ଷରୁ କିମ୍‌ ଜୋଙ୍ଗଙ୍କ ଚୀନ ଯାତ୍ରା ନେଇ ସ୍ପଷ୍ଟ କରାଯାଇଥିଲା।

କିମ୍‌ ଜୋଙ୍ଗ ଉନଙ୍କ ଏହି ସ୍ୱତନ୍ତ୍ର ଟ୍ରେନରେ ରହିଛି କଡା ସୁରକ୍ଷା ବ୍ୟବସ୍ଥା। ବୁଲେଟପ୍ରୁଫ ଥିବା ଏହି ଟ୍ରେନରେ ରହିଛି ବିଳାସପୂର୍ଣ୍ଣ ବଗି। ଯେଉଁଥିରେ ଫାଇଭ ଷ୍ଟାର ହୋଟେଲର ସମସ୍ତ ସୁବିଧା ରହିଛି। ଟ୍ରେନରେ ଯାତ୍ରା କରିବା ସମୟରେ ବୈଠକ କରିବା ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା ରହିଛି। ଏପରିକି କିମଙ୍କ ପସନ୍ଦ ଅନୁଯାୟୀ ସମସ୍ତ ଖାଦ୍ୟପେୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏହାସହ ଏହି ଟ୍ରେନରେ କିମ୍‌ ସହ ତାଙ୍କର ମର୍ସିଡିଜ କାର୍‌ ମଧ୍ୟ ଯାଇଥାଏ। କିମ୍‌ ଟ୍ରେନରୁ ଓହ୍ଳାଇବା ପରେ ଏହି କାରରେ ଯାତ୍ରା କରନ୍ତି।

କିମ୍‌ ଜୋଙ୍ଗ ଉନଙ୍କ ବାପା ତଥା ପୂର୍ବତନ ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ ଇଲ୍‌ ମଧ୍ୟ ଏହି ଟ୍ରେନ ବ୍ୟବହାର କରୁଥିଲେ। କୁହାଯାଏ ଋଷିଆର ଜୋଶେଫ ଷ୍ଟାଲିନଙ୍କ୍‌ ପରିବାର ପକ୍ଷରୁ କିମଙ୍କ ପରିବାରକୁ ଏହି ଟ୍ରେନ ଉପହାର ଭାବେ ଦିଆଯାଇଥିଲା। କିମ୍‌ ଜୋଙ୍ଗ ଉନଙ୍କ ଜେଜେବାପା କିମ୍‌ ଇଲ୍‌ ସଙ୍ଗ ମଧ୍ୟ ଏହି ଟ୍ରେନ ବ୍ୟବହାର କରୁଥିଲେ। ଏପରିକି ୧୯୪୯ରେ କିମ୍‌ ଇଲ୍‌ ସଙ୍ଗ୍‌ ଏହି ଟ୍ରେନରେ ମସ୍କୋ ଯାତ୍ରା କରିଥିଲେ। ଏହି ଟ୍ରେନ ଘଣ୍ଟାପ୍ରତି ୬୦କିଲୋମିଟର ବେଗରେ ଯାତ୍ରା କରେ। କିମ୍‌ ଜୋଙ୍ଗଙ୍କ ପରିବାର ଉତ୍ତରକୋରିଆରୁ ବାହାରି ଯେକୌଣସି ଦେଶକୁ ଗସ୍ତ କଲେ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିଥାନ୍ତି।

କିମ୍‌ ଜୋଙ୍ଗଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେଜିଂରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଏପରିକି ତାଙ୍କ ଗସ୍ତ ସମୟରେ ସହରର ରାସ୍ତା ଘାଟ ଶୁନଶାନ ହୋଇଯାଇଥିଲା। କେବଳ ସୁରକ୍ଷା କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଜୋଙ୍ଗଙ୍କ ୪ଦିନିଆ ଚୀନ ଗସ୍ତରେ ତାଙ୍କ ସହ ଥିଲେ ପତ୍ନୀ ରି ସୋଲ ଜୁ । ୨୦୧୧ରେ ନର୍ଥ କୋରିଆର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାପରେ କିମ୍‌ ଜଙ୍ଗ୍‌ଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ।

ସମ୍ବନ୍ଧିତ ଖବର