ସିଓଲ୍: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ପ୍ରଭାବଶାଳିନୀ ଭଉଣୀ ଦେଶର ସର୍ବୋଚ୍ଚ ସରକାରୀ କମିଟିରେ ନିଯୁକ୍ତ ହୋଇଥିବା କଥା ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘କେସିଏନ୍ଏ’ ଗୁରୁବାର ଦିନ ରିପୋର୍ଟ କରିଛି।
ପାର୍ଲାମେଣ୍ଟ୍ର ‘ରବର ଷ୍ଟାମ୍ପ୍’ କୁହାଯାଉଥିବା ‘ସୁପ୍ରିମ୍ ପିପୁଲ୍ସ୍ ଆସେମ୍ବ୍ଲି’ଦ୍ବାରା ଅନୁମୋଦିତ ବ୍ୟାପକ ଅଦଳବଦଳ ସମୟରେ ଭାଇ କିମ୍ଙ୍କ ପରାମର୍ଶଦାତ୍ରୀ କିମ୍ ୟୋ ଜୋଙ୍ଗ୍ ‘ଷ୍ଟେଟ୍ ଆଫେୟାର୍ସ କମିସନ୍’ର ଏକ ମୁଖ୍ୟ ପଦବୀକୁ ଉନ୍ନୀତା ହୋଇଛନ୍ତି।
/sambad/media/post_attachments/wp-content/uploads/2021/09/yo-1024x575.jpeg)
ପୂର୍ବରୁ ଏହି କମିସନ୍ରେ ଉପାଧ୍ୟକ୍ଷ ଥିବା ପାକ୍ ପୋଙ୍ଗ୍ ଜୁ’ଙ୍କ ସମେତ ୯ଜଣ ସଦସ୍ୟଙ୍କୁ ବହିଷ୍କାର କରାଯାଇଛି। ଏହା ବ୍ୟତିରେକେ, ଯୁକ୍ତରାଷ୍ଟ୍ର ଆମେରିକା ସହ ହୋଇଥିବା ବୁଝାମଣାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବରିଷ୍ଠା କୂଟନୀତିଜ୍ଞା ଚୋଏ ସୋନ୍ ହୁଇଙ୍କୁ ମଧ୍ୟ ବିତାଡ଼ିତ କରାଯାଇଛି।
ସରକାରୀ ସମ୍ବାଦପତ୍ର ‘ରୋଡୋଙ୍ଗ୍ ସିନ୍ମୁନ୍’ ଗୁରୁବାର ଦିନ ନବନିଯୁକ୍ତ ୮ଜଣ ସଦସ୍ୟଙ୍କ ଫଟୋ ପ୍ରକାଶ କରିଛି। ସେଥିରେ ଏକମାତ୍ର ତରୁଣୀ ତଥା ନାରୀ ଭାବେ ଠିଆ ହୋଇଛନ୍ତି କିମ୍ ୟୋ ଜୋଙ୍ଗ୍।
ଭଉଣୀ କିମ୍ ୟୋ ଜୋଙ୍ଗ୍ ଭାଇ କିମ୍ ଜୋଙ୍ଗ୍ ଉନ୍ଙ୍କର ଅତ୍ୟନ୍ତ ଶ୍ରଦ୍ଧେୟା। ଉଭୟ ଏକତ୍ର ସୁଇଜର୍ଲାଣ୍ଡ୍ରେ ପାଠ ପଢୁଥିଲେ। କିମ୍ ୟୋ ଜୋଙ୍ଗ୍ଙ୍କର ରାଜନୈତିକ ଭୂମିକା ସଂକ୍ରାନ୍ତରେ ଅନେକ କଳ୍ପନାଜଳ୍ପନା ଚାଲିଛି। ଭାଇଙ୍କ ପରେ ସେ ଉତ୍ତର କୋରିଆର ସର୍ବୋଚ୍ଚ ନେତ୍ରୀ ହୋଇ ପାରନ୍ତି ବୋଲି କୁହାଯାଉଛି।