ନୂଆଦିଲ୍ଲୀ: ସାରା ବିଶ୍ୱକୁ ନିଜର ପରମାଣୁ କାର୍ଯ୍ୟକ୍ରମ ଦ୍ୱାରା ବାରମ୍ବାର ଧମକ ଓ ଚେତାବନୀ ଦେଇ ଚାଲିଥିବା ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ଆଜି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିବ ବୋଲି ସେ ନୂଆବର୍ଷରେ ପ୍ରତିଜ୍ଞା କରିଛନ୍ତି। ଏପରିକି ପରମାଣୁ କ୍ଷେପଣାସ୍ତ୍ରର ଉତ୍କ୍ଷେପଣ ବୋତାମ ତାଙ୍କ ହାତ ପାଆନ୍ତା ଡେସ୍କ ଉପରେ ରହିବ ବୋଲି ଜଙ୍ଗ ଦେଇଥିବା ଚେତାବନୀ ଅନ୍ତର୍ଜାତୀୟ ରାଷ୍ଟ୍ର ସମ୍ପ୍ରଦାୟର ଚିନ୍ତା ବଢ଼ାଇ ଦେଇଛି।
ନୂଆବର୍ଷ ଅବସରରେ ନିଜ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଜଙ୍ଗ କହିଛନ୍ତି ଯେ ଆମେମାନେ ଅଧିକରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରସ୍ତୁତ ସହ ଏହାର ମୁତୟନକୁ ମଧ୍ୟ ଅଧିକ ତୀବ୍ର କରିବା ଉଚିତ୍। ଏଥି ସହିତ ପରମାଣୁ ଲଞ୍ଚ୍ ବଟନ୍ ସବୁବେଳେ ତାଙ୍କ ଡେସ୍କ ଉପରେ ରହିଛି ବୋଲି କିମ୍ ନୂଆ ଧମକ ଦେଇ କହିଛନ୍ତି। ଏହା କାହାକୁ ମିଛରେ ଭୟଭୀତ କରିବା ପାଇଁ ନୁହେଁ, ବରଂ ବାସ୍ତବତା ବୋଲି ସେ କହିଛନ୍ତି। ଏଥି ସହିତ ଉତ୍ତର କୋରିଆ ଏହାର ପରମାଣୁ ରାଷ୍ଟ୍ର ହେବାର ସ୍ୱପ୍ନ ସାକାର କରିଛି ଏବଂ ଆମେରିକା ଏହାକୁ ହୃଦ୍ବୋଧ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖ ଥାଉ କି, ଆମେରିକାର ମୁଖ୍ୟ ସ୍ଥଳଭାଗକୁ ନିଶାଣ କରି ଉତ୍ତର କୋରିଆ ଏହାର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଛି। ୨୦୧୭ରେ ମଧ୍ୟ ଏହା ଅନେକ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ଉପରେ ବାରମ୍ବାର କଟକଣା ଲଗାଉଥିଲେ ମଧ୍ୟ କିମ୍ ଜଙ୍ଗ ଏହାକୁ ଆଦୌ ଭ୍ରୂକ୍ଷେପ ନକରି ପୂର୍ବବତ୍ ପରମାଣୁ କାର୍ଯ୍ୟକ୍ରମ ବଜାୟ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kim-jong-un-reuterssss.jpg)