ବେଜିଂ: ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ୍ଙ୍କ ବେଜିଂ ଗସ୍ତକୁ ନେଇ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଚୀନ୍ ଯାଇଥିବା ବେଳେ ତାଙ୍କୁ ବେଜିଂରେ ଭବ୍ୟ ସ୍ୱାଗତ କରାଯାଇଛି। ଆମେରିକା ଓ କିମ୍ଙ୍କୁ ତାଙ୍କର ଏହି ଗସ୍ତ ପାଇଁ ଶୁଭେଚ୍ଛା ଜଣାଇଥିବା ବେଳେ ଜାପାନ ଚୀନ୍ର ଗତିବିଧି ନେଇ ସନ୍ଦେହ ପ୍ରକଟ କରିଛି। ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କ ସହ କିମ୍ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ଗସ୍ତ ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଉତ୍ତର କୋରିଆ ଦାବି କରିଛି। ତେବେ ବିନା କୌଣସି ପୂର୍ବ ଘୋଷଣାରେ କିମ୍ ଚୀନ୍ ଗସ୍ତ କରିଥିବାରୁ ଏହା ଉପରେ ସାରା ବିଶ୍ୱର ନଜର ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍-ଜେ-ଇନ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ପୂର୍ବରୁ ଚୀନ୍ ରାଷ୍ଟ୍ରମୁଖ୍ୟଙ୍କୁ କିମ୍ ଜଙ୍ଗ୍ ଭେଟିବା ଦ୍ୱାରା କୋରିଆ ଉପଦ୍ୱୀପରେ ନୂଆ ସମୀକରଣ ସମ୍ଭାବନା ଦେଖାଦେଇଛି। ବେଜିଂ ଗସ୍ତ ସମୟରେ କିମ୍୍ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆମେରିକା ଓ ଦକ୍ଷିଣକୋରିଆର ମିଳିତ ରଣନୀତିରେ ହଡ଼ବଡ଼େଇ କିମ୍ ଚୀନ୍ର ଆଗୁଆ ସମର୍ଥନ ମାଗିବା ପାଇଁ ଏହି ଗସ୍ତ କରିଥିବା କୂଟନୈତିକ ମହଲରେ ଆଲୋଚନା ହେଉଛି। ଉତ୍ତରକୋରିଆର ଏକମାତ୍ର ସାମରିକ ବନ୍ଧୁ ଚୀନ୍ ହୋଇଥିବା ବେଳେ ଉଭୟ ଦେଶ ମଧ୍ୟରେ ଉତ୍ତମ ବାଣିଜ୍ୟିକ ସମ୍ପର୍କ ମଧ୍ୟ ରହିଛି। ସେପଟେ କିମ୍ଙ୍କ ଚୀନ୍ ଗସ୍ତ ନେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଚୀନ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଏହା ସହିତ ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ମତବ୍ୟକ୍ତ କରି କହିଛନ୍ତି ଯେ, ପରମାଣୁ କାର୍ଯ୍ୟକ୍ରମ ରୋକିବା ପାଇଁ ଏହା ଉତ୍ତରକୋରିଆ ନିମନ୍ତେ ସୁବର୍ଣ୍ଣ ସୁଯୋଗ। ତଥାପି ଉତ୍ତରକୋରିଆ ନ ସୁଧୁରିଲେ ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ଟ୍ରମ୍ପ କହିଛନ୍ତି।
ଚୀନ୍ରେ କିମ୍ ଜଙ୍ଗ୍ଙ୍କୁ ଭବ୍ୟ ସ୍ୱାଗତ
ସ୍ପଷ୍ଟୀକରଣ ମାଗିଲା ଜାପାନ
/sambad/media/post_attachments/wp-content/uploads/2018/03/kim-xi-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)