ମା’ଙ୍କୁ ନେଇ ଭାବପ୍ରବଣ ହେଲେ କିଙ୍ଗ୍ ଚାର୍ଲସ

ଲଣ୍ଡନ : ଇଂଲଣ୍ଡର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ପରେ କିଙ୍ଗ୍ ଚାର୍ଲସ ତୃତୀୟ ଦେଶବାସୀଙ୍କୁ ତାଙ୍କର ପ୍ରଥମ ଉଦ୍‌ବୋଧନ ଅବସରରେ ନିଜ ମାଆଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କର ତ୍ୟାଗପୂର୍ଣ୍ଣ ସେବା ପାଇଁ ଦେଶବାସୀ ତାଙ୍କୁ ସବୁଦିନ ମନେରଖିବେ ବୋଲି କହିଛନ୍ତି। ରାଣୀ ଏଲିଜାବେଥ୍ ଦ୍ବିତୀୟ ତାଙ୍କର ସ୍କଟଲାଣ୍ଡର ବାଲମୋରାଲସ୍ଥିତ ଆବାସରେ ୯୬ ବର୍ଷ ବୟସରେ ଶାନ୍ତିରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତେଣୁ ମାଆ ତାଙ୍କର ପୂର୍ଣ୍ଣ ଜୀବନ ଭଲରେ ଜିଇଛନ୍ତି ବୋଲି କିଙ୍ଗ୍ ଚାର୍ଲସ କହିଛନ୍ତି। ସେ କହିଥିଲେ ଯେ ମାଆ ସମ୍ପୂର୍ଣ୍ଣ ଜୀବନ ହସଖୁସିରେ କଟେଇଛନ୍ତି ଏବଂ ସବୁବେଳେ ଲୋକଙ୍କ ଭିତରେ ସବୁଠୁ ଭଲ ଦେଖିବାକୁ ଚେଷ୍ଟା କରିଛନ୍ତି। ୨୦୦୦ରୁ ଅଧିକ ଲୋକ ତଥା ବରିଷ୍ଠ ରାଜନେତାଙ୍କ ଉପସ୍ଥିତିରେ କିଙ୍ଗ୍ ଚାର୍ଲସ ଉଦ୍‌ବୋଧନ ଦେଇଥିଲେ ଯାହାର ଲାଇଭ୍ ପ୍ରସାରଣ କରାଯାଇଥିଲା। ଏହି ଅବସରରେ ଜାତୀୟ ସଂଗୀତ ‘ଗଡ୍ ସେଭ୍ ଦ କିଙ୍ଗ’ ଗାନ କରାଯାଇଥିଲା।

୭୩ ବର୍ଷୀୟ ରାଜା ଭାବପ୍ରବଣ ହୋଇ କହିଥିଲେ ଯେ ଦେଶର ସର୍ବୋଚ୍ଚ ଶାସକ ଭାବେ ତାଙ୍କ ମାଆଙ୍କର ତ୍ୟାଗ ଓ ନିଷ୍ଠାର ପଟାନ୍ତର ନାହିଁ। ପରିବର୍ତ୍ତନ ଓ ପ୍ରଗତି, ଆନନ୍ଦ ଓ ଉତ୍ସବ ଏବଂ ଦୁଃଖ ଓ ହାନି ସବୁ ସମୟରେ ସେ ନିଜର କର୍ତ୍ତବ୍ୟ ପାଳନ କରି ଆସିଛନ୍ତି। ତାଙ୍କ ସ୍ତ୍ରୀ ରାଣୀ କାମିଲା ମଧ୍ୟ ମାଆଙ୍କ ପରି ଦାୟିତ୍ବ ନିର୍ବାହ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଶେଷରେ ଚାର୍ଲସ କହିଥିଲେ- ମୋର ପ୍ରିୟ ମାଆ, ତୁମେ ମୋର ସ୍ବର୍ଗତ ପିତାଙ୍କ ସହ ମିଳିତ ହେବା ପାଇଁ ମହାଯାତ୍ରା ଆରମ୍ଭ କରିଛ। ତୁମେ ଆମ ପରିବାରକୁ ତଥା ଦେଶକୁ ଯେଉଁ ସ୍ନେହ, ପ୍ରେମ ଦେଇଛ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ପ୍ରଦାନ କରୁଛି। ଶେଷ ବିଶ୍ରାମରେ ପରୀମାନେ ସଂଗୀତ ଗାନ କରି ତାଙ୍କୁ ଆମୋଦିତ କରନ୍ତୁ ବୋଲି ଚାର୍ଲସ କାମନା କରିଥିଲେ।

ସମ୍ବନ୍ଧିତ ଖବର