ଅହମଦାବାଦ: ଅହମଦାବାଦରେ ଗୁରୁବାର ହୋଇଥିବା ବିମାନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ବ୍ରିଟିଶ ନାଗରିକ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାକୁ ନେଇ ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ ଆଜି ଅହମଦାବାଦରେ ଘଟିଥିବା ଭୟଙ୍କର ଘଟଣା ପାଇଁ ମୁଁ ଏବଂ ମୋ ପତ୍ନୀ ମର୍ମାହତ। ଅନେକ ଦେଶର ନାଗରିକ ଏହି ଦୁଃଖଦ ଘଟଣା ସହିଛନ୍ତି। ଏହି ଦୁଃଖଦ ମୁହୂର୍ତ୍ତରେ, ଆମର ପ୍ରାର୍ଥନା ପୀଡିତ ଏବଂ ସେମାନଙ୍କ ପରିବାର ସହିତ ଅଛି। ଏହି କଷ୍ଟକର ସମୟରେ ସାହାଯ୍ୟ କରୁଥିବା ସମସ୍ତ ଜରୁରୀକାଳୀନ କର୍ମୀ ଏବଂ ରିଲିଫ୍ କର୍ମୀଙ୍କୁ ଆମେ ସାଲ୍ୟୁଟ୍ କରୁଛୁ।
ସେପଟେ ଏହି ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଏକ ବ୍ରିଟିଶ ତଦନ୍ତକାରୀ ଦଳ ଭାରତ ଆସିବ । ବ୍ରିଟେନର ଏୟାର ଆକ୍ସିଡେଣ୍ଟସ ଇନଭେଷ୍ଟିଗେସନ ବ୍ରାଞ୍ଚ୍ (ଏଏଆଇବି)ର ଏକ ଦଳ ଭାରତ ଆସି ତଦନ୍ତରେ ଭାରତକୁ ସହାୟତା କରିବ । ସେହିପରି ମୃତ୍ୟୁବରଣ କରିଥିବା ବ୍ରିଟିଶ ନାଗରିକଙ୍କ ପାଇଁ ଲଣ୍ଡନରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।