ଚାର୍ଲସ ୩ୟ ହେଲେ ବ୍ରିଟେନର ନୂଆ ମହାରାଜା, ତୋପ ସଲାମୀ ସହ ହେଲା ଆନୁଷ୍ଠାନିକ ଘୋଷଣା

ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ପରେ ତାଙ୍କ ବଡ଼ପୁଅ ଚାର୍ଲସ ଆର୍ଥର ଫିଲିପ୍ ଜର୍ଜଙ୍କୁ ଆନୁଷ୍ଠାନିକ  ଗ୍ରେଟ୍ ବ୍ରିଟେନର ମହାରାଜା ଘୋଷଣା କରାଯାଇଛି ।

ମହାରାଜା ହେବା ପରେ ତାଙ୍କ ନାଁ ହୋଇଛି ମହାରାଜା ଚାର୍ଲସ ୩ୟ । ମହାରାଜା ଭାବେ ସେ ବ୍ରିଟେନ, ଉତ୍ତର ଆୟର୍ଲାଣ୍ଡର ଶାସନ ମୁଖ୍ୟ ହେବେ । ଏହା ସହିତ ସେ ରାଜ୍ୟଗୋଷ୍ଠୀର ମୁଖ୍ୟ ହେବେ ।

ଆଜି ଲଣ୍ଡନର ସେଣ୍ଟ ଜେମ୍ସ ପ୍ରାସାଦରେ ବ୍ରିଟେନର ଆକସେସନ କାଉନସିଲ ପକ୍ଷରୁ ଔପଚାରିକ ଭାବେ ମହାରାଜା ଘୋଷଣା କରିଛନ୍ତି । ଏହି ଆକସେସନ କାଉନସିଲରେ ବ୍ରିଟେନର ବର୍ତ୍ତମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ଧର୍ମଗୁରୁମାନେ ସଦସ୍ୟ ଥାଆନ୍ତି । ଆନୁଷ୍ଠାନିକ ଭାବେ ମହାରାଜା ଘୋଷଣା ହେବା ପରେ ଚାର୍ଲସ ୩ୟ ନିଜ ମାତା ତଥା ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ସଂପର୍କରେ ଘୋଷଣା କରିଛନ୍ତି ।

କ୍ଷମତା ଗ୍ରହଣ କରିବା ପରେ ଚାର୍ଲସ କହିଛନ୍ତି ଯେ ସେ ନିଜର ଗୁରୁ ଦାୟିତ୍ବ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ଅଛନ୍ତି ।

ଆନୁଷ୍ଠାନିକ ଭାବେ ମହାରାଜା ଘୋଷଣା ହେବା ପରେ ବ୍ରିଟେନର ନୂଆ ଜାତୀୟ ସଂଗୀତ ଗାନ କରାଯାଇଛି । ପୂର୍ବରୁ ପ୍ରଚଳିତ ଜାତୀୟ ସଂଗୀତରେ ଗଡ୍ ସେଭ ଦି କ୍ବିନ ( ରାଣୀଙ୍କୁ ଇଶ୍ବର ରକ୍ଷା କରନ୍ତୁ) ଥିବାବେଳେ ତାହାକୁ ସଂଶୋଧନ କରାଯାଇ ଗଡ୍ ସେଭ ଦି କିଙ୍ଗ୍ କରାଯାଇଛି ।

ଗତ ୮ ତାରିଖରେ ମହାରାଣୀଙ୍କ ପରଲୋକ ହୋଇଥିଲା ।

 

 

 

ସମ୍ବନ୍ଧିତ ଖବର