‘ଥ୍ୟାଙ୍କ୍‌ ୟୁ ଟୁ ଡାର୍ଲିଙ୍ଗ୍‌ ମାମା’ କହି ଜୀବନବ୍ୟାପୀ ଦେଶସେବା କରିବାକୁ ପଣ କଲେ ରାଜା ଚାର୍ଲସ୍‌

ଲଣ୍ଡନ୍‌: ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ଦେହାନ୍ତ ହେବାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ଦିନ ଶୋକସନ୍ତପ୍ତ ଦେଶ ଏବଂ ରାଜ୍ୟଗୋଷ୍ଠୀକୁ ପ୍ରଥମ ଉଦ୍‌ବ‌ୋଧନରେ ବ୍ରିଟେନ୍‌ର ନୂଆ ରାଜା ତୃତୀୟ ଚାର୍ଲସ୍‌ ଜୀବନବ୍ୟାପୀ ଦେଶସେବା କରିବେ ବୋଲି ପଣ କରିଛନ୍ତି।

ଅପରାହ୍ଣରେ ବକିଙ୍ଗ୍‌ହାମ୍‌ ରାଜପ୍ରାସାଦରେ ପୂର୍ବରୁ ରେକର୍ଡ ହୋଇଥିବା ଉକ୍ତ ଉଦ୍‌ବୋଧନ ସନ୍ଧ୍ୟା ୬ଟା ବେଳେ ଇଂଲଣ୍ଡ୍‌ ଟେଲିଭିଜନ୍‌ରେ ପ୍ରସାରିତ ହୋଇଥିଲା।

ଉଦ୍‌ବୋଧନ ଆରମ୍ଭ କରି ରାଜା ତୃତୀୟ ଚାର୍ଲସ୍‌ କହିଥିଲେ, ଗଭୀର ଦୁଃଖରେ ଆଜି ମୁଁ ଆପଣମାନଙ୍କୁ କହୁଛି। ମହାରାଣୀ ତଥା ମୋ ମାଆ ଜୀବନବ୍ୟାପୀ ମୋ ପାଇଁ ଓ ଆମ ପରିବାର ପାଇଁ ଥିଲେ ପ୍ରେରଣା ଏବଂ ଦୃଷ୍ଟାନ୍ତ। ତାଙ୍କ ନିକଟରେ ଆମେ ଚିର ଋଣୀ।

Image Courtesy of NDTV

ଗୋଟାଏ ପ୍ରତିଶ୍ରୁତି ସହିତ ରାଣୀ ଏଲିଜାବେଥ୍‌ଙ୍କ ଜୀବନ ଥିଲା ସୁନ୍ଦର ଭାବେ ଅତିବାହିତ ‌ହୋଇଥିବା ଗୋଟାଏ ଜୀବନ। ତେଣୁ, ତାଙ୍କ ମୃତ୍ୟୁ ପରେ ଲୋକେ ଶୋକାଭିଭୂତ ହୋଇପଡ଼ିଛନ୍ତି। ତାଙ୍କର ସେହି ଜୀବନବ୍ୟାପୀ ଦେଶସେବା କରିବାର ପ୍ରତିଶ୍ରୁତିକୁ ମୁଁ ପୁଣି ଥରେ ଆପଣମାନଙ୍କ ନିକଟରେ ଜାଗରୁକ କରୁଛି।

ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେବା ପ୍ରତି ଉତ୍ସର୍ଗୀକୃତ ତାଙ୍କ ଜୀବନ ପ୍ରତି ସମ୍ମାନ ଜଣାଉଛି। ରାଣୀ ସିଂହାସନ ଆରୋହଣ କରିବା ସମୟରେ ବ୍ରିଟେନ୍‌ ଓ ସମଗ୍ର ବିଶ୍ବ ଘରୋଇକରଣ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ପରିସ୍ଥିତି ସହିତ ଖାପଖୁଆଇ ନ ପାରି ପୁରୁଣା ଯୁଗର ପରମ୍ପରା ଅନୁଯାୟୀ ଚଳୁଥିଲେ।

Image Courtesy of India Today

ବିଗତ ୭୦ ବର୍ଷର ସମୟ ଧାରାରେ ଆମ ସମାଜ ଅନେକ ସଂସ୍କୃତି ଓ ବିଶ୍ବାସର ସମିଶ୍ରଣ ହୋଇପାରିଛି। ସମୟାନୁସାରେ, ଦେଶର ପ୍ରତିଷ୍ଠାନ ସବୁ ପରିବର୍ତ୍ତିତ ହୋଇଛି। ଏତେ ପରିବର୍ତ୍ତନ ସତ୍ତ୍ବେ ଆମର ମୂଲ୍ୟବୋଧ କିନ୍ତୁ, ପୂର୍ବପରି ଅପରିବର୍ତ୍ତିତ ଓ ଅକ୍ଷୁଣ୍ଣ ରହିଛି।

ଏବେ ମୁଁ ନୂତନ ଦାୟିତ୍ବ ବହନ କରିଥିବାରୁ ମୋ ଜୀବନଧାରା ମଧ୍ୟ ବଦଳିଯିବ। ଜନସାଧାରଣଙ୍କ ପାଇଁ ଦାତବ୍ୟ କାର୍ଯ୍ୟରେ ଅଧିକ ସମୟ ଦେବା ମୋ ପାଇଁ ସମ୍ଭବ ହେବନାହିଁ। କିନ୍ତୁ, ମୁଁ ଜାଣେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସବୁ ବିଶ୍ବସ୍ତ ବ୍ୟକ୍ତିଙ୍କ ମାଧ୍ୟମରେ କରାଯିବ।

ଗଭୀର ସମବେଦନା ଜଣାଇ ଥିବାରୁ ମୋ ପରିବାରର ସମସ୍ତ ସଦସ୍ୟଙ୍କ ତରଫରୁ ମୁଁ ଆପଣମାଙ୍କୁ ନିଷ୍ଠାର ସହିତ ଧନ୍ୟବାଦ ଅର୍ପଣ କରୁଛି। ‌ଏହି ସମବେଦନା ଅର୍ଥ ମୋ ପାଇଁ ଯଥେଷ୍ଟ ଅଧିକ ଯାହାକୁ ପ୍ରକାଶ କରିବା ମୋ ପକ୍ଷରେ ସମ୍ଭବ ନୁହେଁ।

ମୋର ଦିବଂଗତ ପିତାଙ୍କ ସହିତ ମିଳିତ ହେବାକୁ ଶେଷ ମହାଯାତ୍ରା ଆରମ୍ଭ କରିଥିବା ମୋର ସବୁଠୁ ପ୍ରିୟ ମାଆଙ୍କୁ ମୁଁ କେବଳ ଧନ୍ୟବାଦ ଜଣାଉଛି। ଦେବଦୂତମାନେ ଗୀତ ଗାଇ ତୁମକୁ ଶୁଆଇ ପକାନ୍ତୁ।

ସମ୍ବନ୍ଧିତ ଖବର