ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛିଲୋକ ଅଛନ୍ତି ଯେଉଁମାନେ କ୍ରମାଗତ ଅସଫଳ ହେଉଥିବା ସତ୍ତ୍ବେ କେବେ ହାର ମାନି ନଥାଆନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ତାମିଲନାଡୁର ରାଜନୀତି ପ୍ରେମୀ ବୃଦ୍ଧ କେ ପଦ୍ମରାଜନ। ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ପଦ୍ମରାଜନଙ୍କ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି।
ଯିଏକି ଏଯାବତ ୨୩୮ଥର ନିର୍ବାଚନ ହାରିଥିବା ବେଳେ ଚଳିତଥର ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି। ଏହି ଆସନରେ ଏପ୍ରିଲ ୧୯ରେ ଭୋଟ୍ ହେବାକୁ ଯାଉଛି। ପଦ୍ମରାଜନ ୫ଥର ରାଷ୍ଟ୍ରପତି, ୫ଥର ଉପରାଷ୍ଟ୍ରପତି, ୩୨ଥର ଲୋକସଭା, ୭୨ଥର ବିଧାନସଭା, ୩ଥର ବିଧାୟକ ଓ ଥରେ ମେୟର ପଦ ପାଇଁ ନିର୍ବାଚନ ଲଢ଼ି ପରାଜୟ ହୋଇଛନ୍ତି।
ପଦ୍ମରାଜନଙ୍କ ହୋମିଓପାଥିକ୍ ଉପଚାର ସହ ସ୍ଥାନୀୟ ଗଣମାଧ୍ୟମର ସମ୍ପାଦକ ଭାବରେ କାମ କରନ୍ତି। ଏଥିସହିତ ତାଙ୍କର ଏକ ଟାୟାର ମରାମତି ଦୋକାନ ବି ଅଛି।
ପଦ୍ମରାଜନଙ୍କ ସମ୍ପତ୍ତି କଥା କହିଲେ, ସେ ପାଖାପାଖି ୧୫.୧୬ଲକ୍ଷ ଟଙ୍କାର ମାଲିକ। ଏଥିସହିତ ତାଙ୍କ ନାମରେ ୪୮ହଜାର ଟଙ୍କାର ଋଣ ବି ରହିଛି। ଘରେ ପଦ୍ମରାଜନ ନଗଦ ୫୦ହଜାର ଟଙ୍କା ରଖିଥିବା ବେଳେ ବ୍ୟାଙ୍କରେ ତାଙ୍କର ମାତ୍ର ୧୦୦୦ଟଙ୍କା ଜମା ରହିଛି। ପଦ୍ମରାଜନ ଏଲଆଇସି, ଏନଏସସି କିମ୍ବା ଅନ୍ୟ କୌଣସି ସରକାରୀ ଯୋଜନାରେ ନିବେଶ କରିନାହାନ୍ତି।
୧୯୮୭ ମସିହାରେ ପଦ୍ମରାଜନ ୫୦୦୦ଟଙ୍କାର ଏକ ଦୁଇଚକିଆ ଗାଡ଼ି କିଣିଥିଲେ। ଯାହାକି ଆଜିବି ତାଙ୍କ ପାଖରେ ରହିଛି। ଏଥିସହିତ ପଦ୍ମରାଜନଙ୍କ ପାଖରେ ୩୪ଗ୍ରାମର ସୁନା ଚେନ ଓ ମୁଦି ଅଛି। ଯାହାର ମୂଲ୍ୟ ୨.୩୪ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏତଦ ବ୍ୟତୀତ ତାଙ୍କର ୧୧ଲକ୍ଷ ଟଙ୍କା ମୂଲ୍ୟର ଏକ ବ୍ୟବସାୟିକ କୋଠା ଏବଂ ୩ ଲକ୍ଷ ଟଙ୍କା ମୂଲ୍ୟର ଏକ ଆବାସିକ ଘର ଅଛି।