ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆଜି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ରାହୁଲ ତାଙ୍କ କଲମ୍ବିଆ ଗସ୍ତ ସମୟରେ ଭାରତ, ବିଜେପି ଓ ଆର୍ଏସ୍ଏସ୍କୁ ନେଇ ଦେଇଥିବା ବୟାନ ଦୁର୍ଭାଗ୍ୟଜନକ ଏବଂ ବିରୋଧୀ ଦଳ ନେତାଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି। ରିଜିଜୁ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଥମ ବିରୋଧୀ ଦଳ ନେତା ଯିଏକି ବିଦେଶ ଯାଇ ଦେଶ, ଏହାର ବ୍ୟବସ୍ଥା ଏବଂ ଗଣତନ୍ତ୍ର ବିରୋଧରେ ଭାଷଣ ଦେଉଛନ୍ତି। ରିଜିଜୁ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ସହ ଜଡିତ ତଥ୍ୟକୁ ବିକୃତ କରୁଛନ୍ତି ଏବଂ ତାଙ୍କର ଏଭଳି କାର୍ଯ୍ୟ ଦେଶର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇପାରେ। ଏହି ସାକ୍ଷାତକାରରେ ରିଜିଜୁ କହିଛନ୍ତି, ଭାରତ ବିଶ୍ୱର ନେତୃତ୍ୱ ନେଇପାରିବ ନାହିଁ ବୋଲି ରାହୁଲ ଦେଇଥିବା ବିବୃତି ସମ୍ପୂର୍ଣ୍ଣ ଭୁଲ୍ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ପ୍ରତିଷ୍ଠା କରିଛି । କିନ୍ତୁ ଆମର ବିରୋଧୀ ଦଳର ନେତାମାନଙ୍କ ଭାରତ ବିରୋଧୀ ବୟାନ ଦେଶର ସମ୍ମାନକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ ଦେଶରେ ବୁଦ୍ଧିମାନ ଲୋକ, ଶକ୍ତିଶାଳୀ ନେତା ଏବଂ ସକରାତ୍ମକ ଚିନ୍ତାଧାରା ଥିବା ନାଗରିକଙ୍କ ଉପସ୍ଥିତିକୁ ଗୌଣ କରି ରାହୁଲ ଏକ ନକାରାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି। ରାହୁଲ ଗାନ୍ଧୀ ଲଗାତାର ବିଦେଶରେ ଏହି ଧାରଣା ଦେବାକୁ ଚେଷ୍ଟା କରୁଛନ୍ତି, ଯେଭଳି କି ଭାରତରେ ଭାରତ ବିରୋଧୀଙ୍କ ସଂଖ୍ୟା ହିଁ ଅଧିକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ, ଲାଲକୃଷ୍ଣ ଆଡଭାନୀ, ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ୱରାଜ ଏବଂ ଶରଦ ପାୱାରଙ୍କ ପରି ପୂର୍ବତନ ବିରୋଧୀ ଦଳ ନେତା ବିଦେଶରେ ରହି କେବେ ବି ଦେଶ କିମ୍ବା ସରକାର ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।
କଲମ୍ବିଆରେ କ’ଣ କହିଥିଲେ ରାହୁଲ
କଲମ୍ବିଆର ଏକ ବିଶ୍ୱବିଦ୍ୟାଳୟରେ ଭାଷଣ ଦେଇ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ସମସ୍ୟା ହେଉଛି ଗଣତନ୍ତ୍ର ଉପରେ ଆକ୍ରମଣ। ଭାରତର ବ୍ୟବସ୍ଥାରେ ମଧ୍ୟ ବହୁତ ତ୍ରୁଟି ଅଛି, ଯାହାକୁ ସଂଶୋଧନ କରାଯିବା ଆବଶ୍ୟକ। ଭାରତରେ ଧାର୍ମିକ ସଦ୍ଭାବନା ରହୁନାହିଁ ବୋଲି ଯୁକ୍ତି କରି ରାହୁଲ କହିଥିଲେ ଗଣତାନ୍ତ୍ରିକ ବ୍ୟବସ୍ଥା ବିବିଧତାକୁ ପ୍ରୋତ୍ସାହିତ କରେ, କିନ୍ତୁ ଭାରତରେ ଏହା ବହୁତ ଦୁର୍ବଳ।