ଟିଏମ୍‌ସିରେ ମିଶିଲେ କୀର୍ତ୍ତି ଆଜାଦ, ଅଶୋକ ତନୱର, ପବନ ବର୍ମା

ନୂଆଦିଲ୍ଲୀ: କଂଗ୍ରେସ ନେତା କୀର୍ତ୍ତି ଆଜାଦ ଏବଂ ଅରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନୱର, ଜେଡିୟୁର ପୂର୍ବତନ ମହାସଚିବ ପବନ ବର୍ମା ଆଜି ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି। ଏହି ତିନି ନେତାଙ୍କୁ ତୃଣମୂଳ ସୁପ୍ରିମୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାଗତ ଜଣାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୂର୍ବତନ ଉପଦେଷ୍ଟା ଏବଂ ରାଜ୍ୟସଭାର ପୂର୍ବତନ ରାଜ୍ୟସଭା ସଦସ୍ୟ ବର୍ମାଙ୍କୁ ୨୦୨୦ରେ ରାଜ୍ୟରେ ଶାସକ ଜେଡିୟୁରୁ ବହିଷ୍କୃତ କରାଯାଇଥିଲା।
ପବନ ବର୍ମା କହିଛନ୍ତି, ସେ ଟିଏମ୍‌ସିରେ ଯୋଗ ଦେଇଛନ୍ତି। ଜେଡିୟୁ ଛାଡ଼ିବା ପରେ ରାଜ୍ୟନୀତିର ଗଭୀରତାକୁ ଯାଇ ଅନୁଭବ କଲି, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ମଜଭୁତ ବିରୋଧୀ ଦଳକୁ ସମର୍ଥନ କରିବା ଶ୍ରେୟସ୍କର। ସରକାରଙ୍କୁ ଗଣତାନ୍ତ୍ରିକ ଢଙ୍ଗରେ ଆହ୍ବାନ ଦେବା ଜରୁରି। ୨୦୨୪ରେ ନିର୍ବାଚନ ଜିତି ମମତା କେନ୍ଦ୍ରରେ ସରକାର ଗଢ଼ିବେ ବୋଲି ଆଶା ରଖୁଛି। ଟିଏମ୍‌ସିରେ ଯୋଗ ଦେବା ପରେ କୀର୍ତ୍ତି ଆଜାଦ କହିଥିଲେ, ମମତା ବାନାର୍ଜୀ ତୃଣମୂଳ ସ୍ତରରୁ ଆସି ଲଢ଼େଇ କରିଛନ୍ତି। ମୁଁ ମଧ୍ୟ ସବୁବେଳେ ଏହିଭଳି ପ୍ରୟାସ କରି ଆସିଛି। ଯେଉଁମାନେ ଦେଶକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କୀର୍ତ୍ତି କହିଛନ୍ତି।

ସମ୍ବନ୍ଧିତ ଖବର