ଭାରତୀୟ ବିମାନ ଚାଲିଯାଉ ପଛେ କୁକୁରକୁ ନ ନେଇ ଯିବିନି, ୪ଟି ବିମାନରେ ଆସିବାକୁ ମନା କରିଥିଲେ ଏହି ଛାତ୍ରୀ

ନୂଆଦିଲ୍ଲୀ: ୟୁକ୍ରେନରୁ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କ ପକ୍ଷରୁ ଏବେ ‘ଅପରେସନ୍ ଗଙ୍ଗା’ ଜାରି ରହିଛି | ଅପରେସନ ଗଙ୍ଗା ମିଶନରେ ଏବେ ଭାରତ ସରକାର ନିଜସ୍ୱ ଖର୍ଚ୍ଚରେ ୟୁକ୍ରେନର ପଡୋଶୀ ଦେଶମାନଙ୍କୁ ବିମାନ ପଠାଇ ଛାତ୍ରଛାତ୍ରୀଙ୍କୁ ଆଣୁଛନ୍ତି | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଭଳି କିଛି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପଡୋଶୀ ଦେଶରୁ କୁକୁର ଓ ବିଲେଇ ଆଣିବାକୁ ଅଧିକ ତତ୍ପରତା ଦେଖାଉଛନ୍ତି |

ସୂଚନା ମୁତାବକ ୟୁକ୍ରେନରେ ଡାକ୍ତରୀ (ପଞ୍ଚମ ବର୍ଷ) ପଢ଼ୁଥିବା ଛାତ୍ରୀ କିର୍ତ୍ତନା ନିଜ ପୋଷା କୁକୁର ‘କ୍ୟାଣ୍ଡି’ ସହିତ ଚେନ୍ନାଇରେ ଗତକାଲି ପହଞ୍ଚିଥିଲେ | ସେ ୟୁକ୍ରେନରୁ ଭାରତ ଆସିବା ପାଇଁ ନିଜ କୁକୁରକୁ ନେବାକୁ ଜିଦ୍ ଧରିଥିଲେ। ଏଥିପାଇଁ କିର୍ତ୍ତନା ଚାରିଟି ବିମାନରେ ଯିବାକୁ ମନା କରିଦେଇଥିଲେ | ପାଖାପାଖି ୪ ଥର ତାଙ୍କ ପାଇଁ ବିମାନର ବ୍ୟବସ୍ଥା କରାଯାଇଥିଲେ ବି କୁକୁର ବିନା ସେ ଯିବେ ନାହିଁ ବୋଲି ଦୂତାବାସ ଅଧିକାରୀଙ୍କୁ ସଫା ସଫା ଶୁଣାଇଦେଇଥିଲେ | ପରେ ଭାରତୀୟ ଦୂତାବାସ ତାଙ୍କୁ ଏକ ପେକିଙ୍ଗ ପ୍ରଜାତିର କୁକୁର ସହିତ ଉଡ଼ିବାକୁ ଅନୁମତି ଦେବା ପରେ ଶନିବାର ଦିନ, କିର୍ତ୍ତନା ଚେନ୍ନାଇ ବିମାନବନ୍ଦରରେ କୁକୁର ସହିତ ପହଞ୍ଚିଥିଲେ |

କିର୍ତ୍ତନା କହିଛନ୍ତି, “ମୋତେ ଚାରିଥର ବିମାନ ଉଡ଼ାଣ ବାତିଲ କରିବାକୁ ପଡିଲା କାରଣ ମୋତେ ମୋ କୁକୁର ଆଣିବାକୁ ଅନୁମତି ଦିଆଯାଇ ନଥିଲା | ମୁଁ ମୋର ଲଗେଜ ସେଠାରେ ଛାଡି କୁକୁରକୁ ନେଇ ଆସିଛି | କାରଣ ମୋର ଲଗେଜ୍ ଅପେକ୍ଷା ପୋଷା କୁକୁର ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା।” ସୂଚନା ଥାଉ କି ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ ୟୁକ୍ରେନରୁ ଏପର୍ଯ୍ୟନ୍ତ ‘ଅପରେସନ୍ ଗଙ୍ଗା’ ଅଧୀନରେ ୧୩,୩୦୦ ରୁ ଅଧିକ ଲୋକ ଭାରତ ଫେରିଛନ୍ତି।

ସମ୍ବନ୍ଧିତ ଖବର