ଦୁଗ୍ଧଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍‌ କାର୍ଡ, ଦେଢ଼ କୋଟି ଦୁଗ୍ଧଚାଷୀଙ୍କୁ ଦିଆଯିବ

ନୂଆଦିଲ୍ଲୀ: ଆସନ୍ତା ଦୁଇ ମାସରେ ସାରା ଦେଶର ଦେଢ଼ କୋଟି ଦୁଗ୍ଧଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଦୁଗ୍ଧ ସଂଘ ଓ ଦୁଗ୍ଧ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ସହ ଜଡ଼ିତ ଥିବା ଦୁଗ୍ଧ ଚାଷୀଙ୍କୁ ଏହି କ୍ରେଡିଟ୍ କାର୍ଡ ଦିଆଯବ। ଆସନ୍ତା ଜୁଲାଇ ୩୧ ସୁଦ୍ଧା କିଷାନ କ୍ରେଡିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଶେଷ କରାଯିବ। ଏହି ଅଭିଯାନ ହେଉଛି କେନ୍ଦ୍ର ସରକାର ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ।

ଆର୍ଥିକ ସେବା ବିଭାଗ ସହଯୋଗରେ ପଶୁପାଳନ ଓ ଦୁଗ୍ଧଚାଷ ବିଭାଗ ପକ୍ଷରୁ ରାଜ୍ୟ ଦୁଗ୍ଧ ମହାସଂଘ ଓ ଦୁଗ୍ଧ ସଂଘଗୁଡ଼ିକ ପାଖକୁ ସର୍କୁଲାର ଓ କେସିସି ଆବେଦନ ଫର୍ମ ପଠାଇ ଦିଆଯାଇଛି। ସମବାୟ ଆନ୍ଦୋଳନ ମାଧ୍ୟମରେ ୨୩୦ ଦୁଗ୍ଧ ସଂଘ ସହିତ ୧.୭ କୋଟି ଦୁଗ୍ଧ ଚାଷୀ ଯୋଡ଼ିହୋଇଛନ୍ତି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ‌ଦୁଗ୍ଧ ସମବାୟ ସୋସାଇଟି ଓ ଦୁଗ୍ଧ ସଂଘର ସଦସ୍ୟମାନଙ୍କୁ କ୍ରେଡିଟ୍‌ କାର୍ଡ ପ୍ରଦାନ କରାଯିବ ଯେଉଁମାନେ ପୂର୍ବରୁ ଏହାକୁ ହାସଲ କରିନାହାନ୍ତି। ଯେଉଁମାନଙ୍କ ପାଖରେ କିଷାନ କ୍ରେଡିଟ୍ କାର୍ଡ ଅଛି ସେମାନଙ୍କ ଋଣ ସୀମାକୁ ବୃଦ୍ଧି କରାଯିବ। କିନ୍ତୁ ସୁଧ ରିହାତି କେବଳ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମିଳିବ। କିଷାନ କ୍ରେଡିଟ୍ କାର୍ଡରେ ବିନା ବନ୍ଧକରେ ୧.୬ ଲକ୍ଷ ଟଙ୍କାର ଋଣ ନେବା ବ୍ୟବସ୍ଥା ରହିଛି। କିନ୍ତୁ ‌ଯେଉଁ ଦୁଗ୍ଧଚାଷୀମାନେ ଦୁଗ୍ଧ ସଂଘ ସହ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଏହି ସୀମାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଗତ ମେ’ ୧୫ରେ ଆତ୍ମନିର୍ଭର ଭାରତ ଅଭିଯାନର ବିଭିନ୍ନ ପର୍ଯ୍ୟାୟ ଘୋଷଣା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ କିଷାନ କ୍ରେଡିଟ୍‌ କାର୍ଡ ସ୍କିମ୍‌ରେ ୨.୫ କୋଟି ନୂଆ ଚାଷୀଙ୍କୁ ସାମିଲ କରାଯିବ। ଲକ୍‌ଡାଉନ୍ ଦ୍ବାରା ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ୫ ଲକ୍ଷ କୋଟି ଟଙ୍କାର ସହାୟତା‌ ଦିଆଯିବ।

ସମ୍ବନ୍ଧିତ ଖବର