ଦାବି ପୂରଣ ଲାଗି ଦୀର୍ଘ ୧୮୦ କିଲୋମିଟର ପଦଯାତ୍ରା ଆରମ୍ଭ କଲା କିସାନ ସଭା

ମୁମ୍ବାଇ: ନାସିକ୍‌ରୁ ମୁମ୍ବାଇ  ପର୍ଯ୍ୟନ୍ତ ୧୮୦ କିଲୋମିଟର ରାସ୍ତାରେ କୃଷକମାନଙ୍କ ପଦଯାତ୍ରା ବୁଧବାର ଆରମ୍ଭ ହୋଇଛି। ଦାବି ପୂରଣ ଲାଗି ପଦଯାତ୍ରା କରି ରାଜଧାନୀ ମୁମ୍ବାଇ  ଯିବା ଲାଗି ମହାରାଷ୍ଟ୍ରର ୨୩ଟି ଜିଲ୍ଲାର କୃଷକ ବୁଧବାର ନାସିକରେ ଏକାଠି ହୋଇଛନ୍ତି। ଏହି ପଦଯାତ୍ରାରେ ପ୍ରାୟ ୫୦ ହଜାର କୃଷକ ଯୋଗ ଦେବେ ବୋଲି ପୂର୍ବରୁ ଆଶା କରାଯାଉଛି । ଆସନ୍ତା ୨୭ ତାରିଖରେ ଏହି ପଦଯାତ୍ରାକୁ ମହାରାଷ୍ଟ୍ର ବିଧାନସଭା ସମ୍ମୁଖରେ ସମାପ୍ତ କରିବାର ଯୋଜନା ରହିଛି।

ଏହି ବିଶାଳ ପଦଯାତ୍ରା ଆୟୋଜନ କରୁଥିବା ଅଲ୍‌ ଇଣ୍ଡିଆ କିସାନ ସଭା(ଏଆଇକେଏସ୍‌) ପକ୍ଷରୁ ଅଭିଯୋଗ ହୋଇଛି ଯେ ଗତବର୍ଷ ମାର୍ଚ ମାସରେ ମଧ୍ୟ କୃଷକମାନେ ନାସିକ୍‌ରୁ ମୁମ୍ବାଇ  ପଦଯାତ୍ରା କରିଥିଲେ। ସେ ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ କୃଷକମାନଙ୍କ ଯେଉଁ ଦାବି ସବୁ ପୂରା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍‌ ପୂରା ହୋଇନାହିଁ।

ପୂର୍ବ ବର୍ଷ ଯାହା ସବୁ ଦାବି କରି ଆଇକେଏସ୍‌ ପକ୍ଷରୁ ପଦଯାତ୍ରା କରାଯାଇଥିଲା ଏ ବର୍ଷ ତାଲିକାରେ ମଧ୍ୟ ସେହି ସବୁ ଦାବି ଉଲ୍ଳେଖ ରହିଛି। ସେମାନଙ୍କ ଦାବି ମଧ୍ୟରେ ରହିଛି କୃଷକମାନଙ୍କୁ ଋଣ ଛାଡ଼, ସର୍ବନିମ୍ନ ସମର୍ଥନ ମୂଲ୍ୟ, ଜଳସେଚନ ସୁବିଧା ଓ କୃଷକମାନଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା।

ଗତବର୍ଷ ଏହି ସବୁ ଦାବି ହୋଇଥିଲେ ବି ତାହାକୁ ପୂରା ନ କରିଥିବାରୁ କୃଷକମାନେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରଙ୍କୁ ବିରୋଧ କରି ଏହି ପଦଯାତ୍ରା କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର