‘କିଷାନ ମୁକ୍ତି ମାର୍ଚ୍ଚ’ରେ ବିରୋଧୀ ପୁଣି ଦେଖାଇଲେ ଏକତା; ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ମୋଦି ସରକାରର କଲେ କଟୁ ସମାଲୋଚନା

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ‘କିଷାନ ମୁକ୍ତି ମାର୍ଚ୍ଚ’ରେ ପୁଣି ଥରେ ବିରୋଧୀ ଦଳମାନଙ୍କର ଏକତା ଦେଖିବାକୁ ମିଳିଛି। ଦେଶର ଅଣ-ବିଜେପି ବିରୋଧୀ ଦଳଗୁଡ଼ିକ ଆଜି ପୁଣିଥରେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ମୋଦି ସରକାରର କଟୁ ସମାଲୋଚନା କରିବା ସହ ଚାଷୀମାନଙ୍କର ସମସ୍ୟା ପ୍ରତି ନିଜ ନିଜର ସମର୍ଥନ ଜାହିର କରିଛନ୍ତି।

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ କମିଟିର ଆହ୍ଵାନରେ ଆଜି ଅପରାହ୍ଣରେ ନୂଆଦିଲ୍ଲୀର ଯନ୍ତରମନ୍ତର ଠାରେ ଆୟୋଜିତ ବିକ୍ଷୋଭ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ନ୍ୟାସନାଲ କନ୍‌ଫରେନ୍ସ ସୁପ୍‌୍ରିମୋ ଫାରୁକ୍‌ ଅବଦୁଲ୍ଲା, ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ସିପିଆଇ (ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ସମେତ ବହୁ ଅଣ- ବିଜେପି ରାଜନୈତିକ ଦଳର ନେତୃବୃନ୍ଦ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ନିଜର ଶକ୍ତି ପ୍ରଦର୍ଶନ ସହ ମୋଦି ସରକାରର କଟୁ ସମାଲୋଚନା କରିଥିେଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ବିକ୍ଷୋଭ ସମାବେଶରେ ଉଦ୍‌ବୋଧନ ଦେଇ କହିଥିଲେ, ‘ଚାଷୀମାନଙ୍କୁ ଋଣଛାଡ଼, କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସବୁ ଜମିକୁ ଜଳସେଚନ ସୁବିଧା, ଚାଷୀଙ୍କୁ ବୋନସ, ସ୍ୱଳ୍ପ ସୁଧରେ ଋଣ, ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଆଦି କରିବା ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ। ହେଲେ, କ୍ଷମତାକୁ ଆସିବା ମାତ୍ରେ ହିଁ ପ୍ରଧାନମନ୍ତ୍ରୀ ମୋଦି ସର୍ବପ୍ରଥମେ ଚାଷୀମାନଙ୍କୁ ଭୁଲିଗଲେ।’ ତେବେ, ଏଥିରେ ଚାଷୀକୁଳ ଆଦୌ ଦୁଃଖିତ କିମ୍ବା ଭୟଭୀତ ହେବାର କୌଣସି କାରଣ ନାହିଁ। କାରଣ ଦେଶର ସମସ୍ତ ଅଣ ବିଜେପି ରାଜନୈତିକ ଦଳ ଚାଷୀଙ୍କ ପଛରେ ରହିଛନ୍ତି ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।


ସେହିପରି ସିପିଆଇ (ଏମ୍‌)ର ବରିଷ୍ଠ ନେତା ସୀତାରାମ ୟେଚୁରୀ ପ୍ରଧାନମନ୍ତ୍ରୀ ମୋଦଙ୍କ ସମାଲୋଚନା କରି କହିଲେ ଯେ ଆର୍‌ଏସ୍‌ଏସ୍‌ କଥାରେ ପରିଚାଳିତ ହେଉଥିବା ବିଜେପି ଦଳ ଓ ଏହାର ପ୍ରଧାନମନ୍ତ୍ରୀ ମୋଦି କେବଳ ଅଯୋଧ୍ୟା ଓ ରାମ ମନ୍ଦିରକୁ ଗୁରୁତ୍ୱ ଦେଇ ଚାଷୀମାନଙ୍କର ସମସ୍ୟାକୁ ଭୁଲିଯିବା ଅତ୍ୟନ୍ତ ବିଡ଼ମ୍ବନାର ବିଷୟ।

ସମ୍ବନ୍ଧିତ ଖବର