ନୂଆଦୀଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତୱାଡ଼ରେ ଆଜି ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି। ଆଜି ସକାଳ ପ୍ରାୟ ୬.୫୦ ସମୟରେ ସିଙ୍ଘପୋରା ଛତ୍ରୋ ଗ୍ରାମର ଶାରି ଏବଂ ମନ୍ଦ୍ରଲ୍‌ ଢୋକ ମଧ୍ୟରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତ‌ରେ ସୂଚନା ପାଇ ମିଳିତ ସୁରକ୍ଷା ବାହିନୀ  ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଆତଙ୍କୀ ଲୁଚିଥିବା ସ୍ଥାନ ଠାବ ହେବାମାତ୍ରେ  ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ଫଳରେ ପାଲଟା ଜବାବ ଦେଇ ସୁରକ୍ଷା କର୍ମୀ ମଧ୍ୟ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଏବେ ବି ଅପରେସନ୍‌ ଜାରି ରହିଛି। ୪ ଜଣ ଆତଙ୍କବାଦୀଙ୍କୁ ଟ୍ରାପ୍‌ କରାଯାଇଥିବା ଜଣାପଡ଼ିଛି। ଭାରତୀୟ ସେନାର ହ୍ବାଇଟ୍‌ ନାଇଟ୍‌ କର୍ପ‌୍ସ ଏହି ଅପରେସନ୍‌ର ନାଁ ଦେଇଛନ୍ତି ‘ଅପରେସନ୍‌ ତ୍ରାଶି’। 

Advertisment

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ଜମ୍ମୁ କାଶ୍ମୀରରେ ଆତଙ୍କୀ ନିରୋଧ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଆତଙ୍କବାଦୀ ଏବଂ ସ୍ଥାନୀୟ ଭାବେ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଯୁବକଙ୍କ ବିରୋଧରେ ଅଭିଯାନ ବ୍ୟାପକ ହୋଇଛି। ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଗତ ଗୁରୁବାର ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଜେଇଏମ୍‌ ଆତଙ୍କବାଦୀ ନିପାତ ହୋଇଥିଲେ।