ଶ୍ରୀନଗର: ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅଧୀନସ୍ଥ ଚସୋତି ଗ୍ରାମରେ ଗୁରୁବାର ଅପରାହ୍ନରେ ହୋଇଥିବା ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି ପାଇଛି। ୨୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତଙ୍କ ସଂଖ୍ୟା ୧୮୦ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସମସ୍ତ ଆହତଙ୍କୁ କିସ୍ତୱାଡ଼ ଏବଂ ଜମ୍ମୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ୭୫ ଜଣଙ୍କ ପରିବାର ସଦସ୍ୟ ସେମାନଙ୍କ ସଂକ୍ରାନ୍ତରେ ପ୍ରଶାସନକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ୩ ଏନ୍ଡିଆରଏଫ୍ ଟିମ୍, ୩୦୦ ସେନା ଯବାନ, ହ୍ବାଇଟ୍ ନାଇଟ କର୍ପ୍ସ ମେଡିକାଲ ଟିମ୍, ପୁଲିସ , ଏସ୍ଡିଆରଏଫ୍ ଏବଂ ଅନ୍ୟ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି ଚସୋତି ଗସ୍ତ କରିଛନ୍ତି ଏବଂ ପୀଡ଼ିତଙ୍କୁ ଭେଟି ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ମନ୍ଥରଗତିରେ ଚାଲିଛି।
ଜମ୍ମୁ କାଶ୍ମୀର ମୁଖ୍ୟ ସଚିବ ଅଟଳ ଡୁଲ୍ଲୁ କହିଛନ୍ତି, ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ମୁତୟନ ହୋଇଛି ଏବଂ ସିଆଇଏସ୍ଏଫ୍, ସିଆରପିଏଫ୍ ଏବଂ ଜମ୍ମୁ କାଶ୍ମୀର ପୁଲିସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ଘର ନିର୍ମାଣ କରିବାପାଇଁ ଜମି ପ୍ରଦାନ କରାଯିବ ଏବଂ ଆମେ ସବୁ ପ୍ରକାର ସହଯୋଗ କରିବୁ ବୋଲି ମୁଖ୍ୟ ସଚିବ କହିଛନ୍ତି। ସିଆଇଏସଏଫ୍ ଡିଆଇଜି ଏମ୍କେ ଯାଦବ କହିଛନ୍ତି, ବାଦଲଫଟା ବର୍ଷା ଏବଂ ଅଚାନକ ବନ୍ୟାରେ ୨ ସିଆଇଏସ୍ଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି। ଇତିମଧ୍ୟରେ କିସ୍ତୱାଡ଼ ବନ୍ୟାରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥ୍ୟା ବୁଝିବାପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଜମ୍ମୁ ମେଡିକାଲ କଲେଜ ଗସ୍ତ କରିଛନ୍ତି।