ମୋ ଉପରେ ଆକ୍ରମଣ ହେବ ବୋଲି ପୂର୍ବରୁ ଜାଣିଥିଲି : ଇମ୍ରାନ ଖାଁ

ଲାହୋର : ଆକ୍ରମଣ ଉଦ୍ୟମର ଦିନକ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି ଫୋନରେ ଧମକ ଦିଆଯାଉଛି ।

ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଇମ୍ରାନ ଗଣମାଧ୍ୟମକୁ ଏହି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଗୋଡ଼ରେ ୪ଟି ଗୁଳି ବାଜିଛି ।

ସେ  ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସରକାରକୁ ଲୋକମାନେ ଭୋଟ ଦେଇ କ୍ଷମତାକୁ ଆଣିଥିଲେ । ତାଙ୍କ ସରକାରକୁ ଭାଙ୍ଗି ଦେବାକୁ ଲୋକମାନେ ପସନ୍ଦ କରୁନାହାନ୍ତି । ଲୋକମାନେ ବର୍ତ୍ତମାନର ସରକାରଙ୍କୁ ପସନ୍ଦ କରୁନାହାନ୍ତି, ଏହା ସତ୍ତ୍ବେ ସରକାର ନିଜ ନିଷ୍ପତ୍ତିକୁ ଲୋକମାନଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି । ପାକିସ୍ତାନର ସରକାରୀ ଏଜେନ୍ସିମାନେ ଗଣତନ୍ତ୍ରକୁ ଚାଲିବାକୁ ଦେଉନାହାନ୍ତି । ପାକିସ୍ତାନୀ ସାମ୍ବାଦିକ ଅରସଦ ସରିଫଙ୍କ ହତ୍ୟାକୁ ଲୋକମାନେ କେବେ ବି କ୍ଷମା କରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଗୁରୁବାରଦିନ ଇମ୍ରାନ ପଂଜାବ ପ୍ରଦେଶର ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ପାକିସ୍ତାନର କେତେକ ସ୍ଥାନରେ ହିଂସା ଦେଖାଦେଇଛି ।

 

 

ସମ୍ବନ୍ଧିତ ଖବର