କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଚଢ଼ାଉ କରିଥିଲେ ଏହି ଏନସିବି ଅଫିସର, ଜାଣନ୍ତୁ ସେମାନଙ୍କ ଇତିହାସ

ମୁମ୍ବାଇ: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଉପରେ ଅତର୍କିତ ଚଢାଉ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏହି କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ନେଇ ଏନସିବି ପାଖରେ ସୂଚନା ଥିଲା । ସୂଚନା ପାଇ ଯାତ୍ରୀଙ୍କ ବେଶରେ ଯାଇ ଏନସିବିର ଅଫିସରମାନେ ଏହି କ୍ରୁଜ୍ ଉପରେ ଚଢାଉ କରିଥିଲେ । ଏହି ମାମଲାରେ ଏବେ ଶାହାରୁଖଙ୍କ ପୁଅ ଆରୟନ ଗିରଫ ହୋଇ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି କ୍ରୁଜ୍ ଉପରେ କେଉଁ କେଉଁ ଅଫିସରମାନେ କିଭଳି ଚଢ଼ାଉ କରିଥିଲେ ତାହା ଜାଣିବାକୁ ଏବେ ସମସ୍ତେ ଉତ୍ସାହିତ । ଆସନ୍ତୁ ଜାଣିବା ସେହି ଅଫିସରଙ୍କ ବି‌ଷୟରେ….

ବିଶ୍ୱବିଜୟ ସିଂହ, ସୁପରିଟେଡେଣ୍ଟ, ଏନସିବି ମୁମ୍ବାଇ

ବିଶ୍ୱବିଜୟ ସିଂହ ହିଁ ହେଉଛନ୍ତି ସେହି ଅଫିସର ଯିଏ କ୍ରୁଜ୍ ଭିତରୁ ବଲିଉଡ୍ ଷ୍ଟାର ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିଥିଲେ । ତେବେ ଲକ୍ଷ୍ନୌର ଏହି ଅଧିକାରୀଜଣକ ପୂର୍ବରୁ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ । ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ଶୌଭିକ, ଅର୍ଜୁନ ରାମପାଲଙ୍କୁ ମଧ୍ୟ ବିଶ୍ୱବିଜୟ ସିଂହ ପଚରାଉଚୁରା କରିଥିଲେ ବୋଲି ଜଣାପଡ଼ିଛି । ଗତ ୧୦ ବର୍ଷ ହେଲା ବିଶ୍ୱବିଜୟ ସିଂହ ଏନସିବିରେ ଅଛନ୍ତି । ସେ ୨୦୧୮ରେ ହେରୋଇନର ଏକ ବଡ ଗ୍ୟାଙ୍ଗକୁ ଧରିଥିଲେ ।

 

ଆଶିଷ ରାଜନ ପ୍ରସାଦ, ଇଣ୍ଟେଲିଜେନ୍ସ ଅଫିସର

ଡ୍ରଗ୍ସ ପାର୍ଟି ଉପରେ ହୋଇଥିବା ଚଢାଉରେ ସାମିଲ ଥିବା ଆଉ ଜଣେ ଅଫିସର ହେଉଛନ୍ତି ଆଶିଷ ରାଜନ ପ୍ରସାଦ । ସେ ଏବେ ଏନସିବିରେ ଇଣ୍ଟେଲିଜେନ୍ସ ଅଫିସର ଅଛନ୍ତି । ତେବେ ଅକ୍ଟୋବର ୨ ତାରିଖରେ ସେ ନିଜେ ଏହି କ୍ରୁଜରେ ଯାତ୍ରୀ ହୋଇ ଡ୍ରଗ୍ ପାର୍ଟିରେ ସାମିଲ ହୋଇଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହାପୂର୍ବରୁ ଆଶିଷ ସିଆଇଏସଏଫରେ ସ୍ପେଶାଲ୍ ଇଣ୍ଟେଲିଜେନ୍ସ ୟୁନିଟରେ କାମ କରୁଥିଲେ । ୨୦୧୭ରୁ ସେ ଏନସିବିରେ ସାମିଲ ହୋଇଛନ୍ତି ।

ସମୀର ୱାଙ୍ଖଡେ, ଜୋନାଲ ଡାଇରେକ୍ଟର, ମୁମ୍ବାଇ ଏନସିବି

ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଗତ ଏକ ବର୍ଷ ଭିତରେ ଏପରି ଅନେକ ଚଢାଉ କରିସାରିଲେଣି । ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ସେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ବହୁ ସଦସ୍ୟଙ୍କୁ ମଧ୍ୟ ଗିରଫ କରିଛନ୍ତି । ଖାଲି ସେତିକି ନୁହେଁ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏହି ଅଫିସର ଡ୍ରଗ୍ସ ଲିଙ୍କ୍ ନେଇ ପଚରାଉଚୁରା କରିଥିଲେ । ଆଉ ଏବେ ଶାହାରୁଖଙ୍କ ପୁଅକୁ ଗିରଫ କରି ସେ ଚର୍ଚ୍ଚାରେ ଅଛନ୍ତି । ଏହା ପୂର୍ବରୁ ସମୀର ରାଜସ୍ୱ ବିଭାଗରେ ଚାକିରି କରିଥିଲେ। ପରେ ସେ ମୁମ୍ବାଇ ଏନସିବି ସହ ଯୋଡି ହୋଇଛନ୍ତି ।

ସମ୍ବନ୍ଧିତ ଖବର