ଦୀପ ସିଦ୍ଧୁ କିଏ? ବିଜେପି ସହ ତାଙ୍କର କଣ ରହିଛି ସମ୍ପର୍କ?

ନୂଆଦିଲ୍ଲୀ: ଲାଲକିଲ୍ଲାରେ ପତାକା ଉଡାଇବା ହେଉ କିମ୍ବା ଦିଲ୍ଲୀରେ ପୁଲିସ କର୍ମୀଙ୍କୁ ଆକ୍ରମଣ ଏହାରି ପଛରେ ପଞ୍ଜାବର ଏମିତି ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯାହାଙ୍କର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୀପ ସିଦ୍ଧୁ | ତେବେ ଦୀପ ସିଦ୍ଧୁ କିଏ ଓ ଦିଲ୍ଲୀ ହିଂସା ଘଟଣାରେ କିଭଳି ସେ ସାମିଲ ହେଲେ ସେ ବାବଦରେ ଜାଣନ୍ତୁ | ଦୀପ ସିଦ୍ଧୁ ୧୯୮୪ ରେ ପଞ୍ଜାବର ମୂକ୍ତରସ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଦୀପ ସିଦ୍ଧୁ ଆଇନ ପଢା ସାରିବା ପରେ କିଛିଦିନ ଓକିଲାତି ମଧ୍ୟ କରିଥିଲେ | ତେବେ କିଙ୍ଗଫିସର ମଡେଲ ହଣ୍ଟ ଆଖ୍ୟା ଅର୍ଜନ କରିବା ପରେ ପଞ୍ଜାବୀ ସିନେମା ଦୁନିଆରେ ପାଦ ଥାପିଥିଲେ |

୨୦୧୫ ରେ, ଦୀପ ସିଦ୍ଧୁଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ‘ରାମତା ଯୋଗୀ’ ରିଲିଜ ହୋଇଥିଲା | କିନ୍ତୁ ଏହା ସେତେଟା ହିଟ ହୋଇନଥିଲା | ୨୦୧୮ ରେ ଦୀପ ଙ୍କ ସିନେମା ‘ଜୋରା ଦାସ ନମ୍ବରିଆ’ ମୁକ୍ତିଲାଭ କରିଥିଲା ଓ ଦୀପ ଲୋକପ୍ରିୟତା ହାସଲ କରିଥିଲେ | ଏଥିରେ ଦୀପ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଦୀପ ​​ଭାରତୀୟ ଜନତା ପାର୍ଟି ସାଂସଦ ସନ୍ନି ଦେଓଲଙ୍କ ପ୍ରଚାର ଦଳର ସଦସ୍ୟ ଥିଲେ।

ତେବେ ସେପ୍ଟେମ୍ବର ୨୫ ରେ ବହୁ ସଂଖ୍ୟକ କୃଷକ ଶମ୍ଭୁ ସୀମାରେ ବିରୋଧ ଆରମ୍ଭ କରିଥିଲେ, ଯେଉଁଥିରେ ବହୁ କଳାକାର ମଧ୍ୟ ଯୋଗ ଦେଇଥିଲେ । ଦୀପ ସିଦ୍ଧୁ ମଧ୍ୟ କୃଷକଙ୍କ ସହ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ଦୀପ ସିଦ୍ଧୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସି ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଥିଲେ | ତେବେ କିଛି କୃଷକ ତାଙ୍କୁ ବିଜେପି-ଆରଏସଏସର ଏଜେଣ୍ଟ ବୋଲି ଅଭିଯୋଗ କରି ବିରୋଧ କରିଥିଲେ। କିନ୍ତୁ ଦୀପ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିଦେଇଥିଲେ |

ସମ୍ବନ୍ଧିତ ଖବର