ଶିବଲିଙ୍ଗରେ ଜଳାଭିଷେକ କରିବା ପରେ ମେହବୁବା ମୁଫ୍‌ତି କହିଲେ- ‘ମୋ ଧର୍ମକୁ ମୁଁ ଭଲ ଭାବେ ଜାଣେ’

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବୁଧବାର ପୁଞ୍ଚ ଜିଲ୍ଲାର ନବଗ୍ରହ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ଉଭୟ ବିଜେପି ଓ ମୁସଲମାନ ଧର୍ମଗୁରୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗୁରୁବାର ମେହବୁବା ମୁଫତି ମୌଲବୀମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ତାଙ୍କ ଧର୍ମକୁ ଭଲ ଭାବରେ ଜାଣନ୍ତି।

ଗୋଟିଏ ଦିନ ତଳେ ପୁଞ୍ଚ ଜିଲ୍ଲା ଗସ୍ତରେ ଯାଇଥିବା ପିପୁଲ୍‌ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫତି ପୁଞ୍ଚ ସୀମାରେ ଥିବା ନବଗ୍ରହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ମନ୍ଦିରରେ ଥିବା ଏକ ଶିବଲିଙ୍ଗରେ ମଧ୍ୟ ଜଳ ଲାଗି କରିଥିଲେ।

ବିଜେପି ତାଙ୍କ ମନ୍ଦିର ଗସ୍ତକୁ ନାଟକବାଜି କହି ସମାଲୋଚନା କରିଥିବା ବେଳେ ଉତ୍ତରପ୍ରଦେଶର ଦେଓବନ୍ଦର ଜଣେ ମୌଲାନା କହଥିଲେ ଯେ ମେହବୁବା ମୁଫତି ଯାହା କରିଛନ୍ତି ତାହା ଇସଲାମ ଅନୁମୋଦିତ ନୁହେଁ।
ଅନ୍ୟପକ୍ଷରେ ଇତ୍ତେହାଦ-ଉଲେମା-ଏ-ହିନ୍ଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁଫତି ଅସଦ କାସମୀ କହିଛନ୍ତି ଯେ ମେହବୁବା ମୁଫତି ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସାଧାରଣ ମୁସଲମାନ, ଆମ ଧର୍ମ କ’ଣ କହୁଛି, ଆମ ଧର୍ମ କ’ଣ ଅନୁମତି ଦେଇଥାଏ ଏବଂ ଆମ ଧର୍ମରେ କ’ଣ ନିଷେଧ ରହିଛି ସେ ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଏହା ହେଉଛି ଭାରତ, ଏଠାରେ ସମସ୍ତେ ଯାହା ଚାହିଁବେ ତାହା କରିବାକୁ ସ୍ୱାଧୀନ! ତେବେ ମେହବୁବା ମୁଫତି ଯାହା କରିଛନ୍ତି ତାହା ଅନୁପଯୁକ୍ତ ଏବଂ ଇସଲାମ ଅନୁମୋଦିତ ନୁହେଁ। ମେହବୁବା ମୁଫତି ଯାହା କରିଛନ୍ତି, ସେଥିରେ ଯେ ସେ ତାଙ୍କ ଧର୍ମରୁ ଦୂରେଇ ଯିବେ ତାହା ନୁହେଁ; ବରଂ ସେ ଯାହା କରିଛନ୍ତି ତାହା ଇସଲାମର ନୀତି ବିରୁଦ୍ଧରେ ବୋଲି ଅସଦ କାସମୀ କହିଛନ୍ତି।

ତେବେ, ମେହବୁବା ମୁଫତି ଗୁରୁବାର ତାଙ୍କର ମନ୍ଦିର ପରିଦର୍ଶନକୁ ସମର୍ଥନ କରିଛନ୍ତି। ‘ଆମେ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଆମେ ‘ଗଙ୍ଗା ଜାମୁନି ତେହଜିବ’କୁ ଅନୁସରଣ କରୁ। ମୁଁ ସବୁ ଧର୍ମକୁ ସମ୍ମାନ କରେ। ମୁଁ ଆମ ନେତା ସ୍ୱର୍ଗତ ଯଶପାଲ ଶର୍ମାଙ୍କ ଦ୍ୱାରା ନିର୍ମିିତ ଏକ ମନ୍ଦିରକୁ ଯାଇଥିଲି। ଏହା ଏକ ସୁନ୍ଦର ମନ୍ଦିର। ମନ୍ଦିରର କେହି ଜଣେ ମୋତେ ଶ୍ରଦ୍ଧାର ସହ ଏକ ପାଣି ଭର୍ତ୍ତି ପାତ୍ର ଦେଇଥିଲେ। ମୁଁ ତାଙ୍କ ସ୍ନେହ, ଶ୍ରଦ୍ଧା ଓ ଭକ୍ତିକୁ ସମ୍ମାନ ଦେଇ ଶିବ ଲିଙ୍ଗରେ ଜଳାଭିଷେକ କରିଥିଲି’ ବୋଲି ମେହବୁବା ମୁଫତି କହିଛନ୍ତି।

‘ଦେଓବନ୍ଦ ମୌଲାନା କ’ଣ କହିଛନ୍ତି ସେ ନେଇ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ମୁଁ ମୋ ଧର୍ମକୁ ଭଲ ଭାବରେ ଜାଣେ। ମୁଁ କୁଆଡ଼େ ଯାଉଛି, କ’ଣ କରୁଛି ତାହା ମୋର ବ୍ୟକ୍ତିଗତ ମାମଲା’ ବୋଲି ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତି କହିଛନ୍ତି।

ସମ୍ବନ୍ଧିତ ଖବର