ରାମ ମନ୍ଦିର ଆନ୍ଦୋଳନର ଚର୍ଚ୍ଚିତ ଚେହେରା

ଲାଲକୃଷ୍ଣ ଆଡଭାନୀ: ତତ୍କାଳୀନ ବିଜେପି ଅଧ୍ୟକ୍ଷ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଥିଲେ। ୧୯୯୦ରେ ଆଡଭାନୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ସମର୍ଥନ ପାଇଁ ରାମ ରଥଯାତ୍ରା ଆରମ୍ଭ କରିଥିଲେ। ତେବେ ବିହାରର ସମସ୍ତିପୁରରେ ଆଡଭାନୀ ଓ ତା‌ଙ୍କ ସମର୍ଥକଙ୍କୁ ଗିରଫ କରାଯାଇଥିଲା।

ମୁରଲୀ ମନୋହର ଯୋଶୀ : ମୁରଲୀ ମନୋହର ଯୋଶୀ ୧୯୯୧ରେ ବିଜେପି ଅଧ୍ୟକ୍ଷ ପଦରେ ରହିଥିଲେ ଏବଂ ରାମ ମନ୍ଦିର ଆନ୍ଦୋଳନରେ ସେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଡିସେମ୍ବର ୬ରେ ହୋଇଥିବା କରସେବକଙ୍କ ଶୋଭାଯାତ୍ରା ସମୟରେ ସେ ମଧ୍ୟ ଆରଏସ୍‌ଏସ୍‌ ନେତାମାନଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ। ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ‌ଯୋଶୀଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା।

ଉମା‌ ଭାରତୀ : ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ସିବିଆଇ ବିଜେପି ନେତ୍ରୀ ଉମା ଭାରତୀଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲା। ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ସେ ଉପସ୍ଥିତ ଥିଲେ ଏବଂ ହିଂସା‌ ସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା।

କଲ୍ୟାଣ ସିଂହ : କଲ୍ୟାଣ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ କରସେବକଙ୍କ ଦ୍ବାରା ବାବ୍ରି ମସଜିଦ୍‌ ଧ୍ବଂସ କରାଯାଇଥିଲା। ପରେ କଲ୍ୟାଣ ସିଂହ ସେହିଦିନ ସନ୍ଧ୍ୟାରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଡିସେମ୍ବର ୬ ରୢାଲି ପୂର୍ବରୁ ସେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଶ୍ଚିତ କରାଇଥିଲେ ଯେ ତାଙ୍କ ସରକାର ମସଜିଦ୍‌ର କୌଣସି କ୍ଷତି ହେବାକୁ ଦେବେନାହିଁ। କିନ୍ତୁ ସେ ତାଙ୍କ କଥା ରଖିବାରେ ବିଫଳ ହେ‌ାଇଥିଲେ।

ଅଶୋକ ସିଂଘଲ୍‌ : ସେତେବେଳେ ବିଶ୍ବ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଥିଲେ ଅଶୋକ ସିଂଘଲ। ଅଯୋ‌ଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି‌ରେ ୧୯୮୪ରେ ହୋଇଥିବା ପ୍ରଚାରରେ ସେ ସାମିଲ ଥିଲେ। ସିଂଘଲ ହେଉଛନ୍ତି ରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ବିନ୍ଧାଣି। ୧୯୯୨ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ମଧ୍ୟ ସେ ଅଭିଯୁକ୍ତ ଥିଲେ।

ପିଭି ନରସିଂହ ରାଓ : ପିଭି ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ଥିବା‌ ସମୟରେ ବାବ୍ରି ମସଜିଦ୍‌ ଭଙ୍ଗା ଯାଇଥିଲା। ବାବ୍ରି ମସଜିଦ୍‌ ଧ୍ବଂସ ମାମଲା ପାଇଁ ପିଭିଙ୍କୁ ଅନେକ ଦାୟୀ କରିଥିଲେ ମଧ୍ୟ ମାମଲାର ତଦନ୍ତ କରିଥିବା ଲିବରହାନ୍‌ କମିସନ୍‌ ଏହ‌ି ମାମଲା‌ରେ ତାଙ୍କୁ ଦୋଷମୁକ୍ତ କରିଥିଲେ।

ବିଜୟା ରା‌ଜେ ସିନ୍ଧିଆ : ଗ୍ବାଲିଅରର ରାଜମାତା ଏବଂ ବରିଷ୍ଠ ବିଜେପି ନେତା ବିଜୟା ରାଜେ ସିନ୍ଧିଆ ଡିସେମ୍ବର ୬ ଅଯୋଧ୍ୟା ରୢାଲି ସମୟରେ ମଞ୍ଚ ଉପରେ ବିଜେପି, ଆରଏସ୍‌ଏସ୍‌ ଏବଂ ଭିଏଚ୍‌ପିର ପ୍ରମୁଖ ନେତାମାନଙ୍କ ଉପସ୍ଥିତ ଥିଲେ।

ବାଲ୍‌ ଠାକ୍‌ରେ : ଶିବସେନା ସୁପ୍ରିମୋ ବାଲ୍‌ ଠାକ୍‌ରେ ବାବ୍ରି ମସଜିଦ୍‌ ଧ୍ବଂସ ସ୍ଥଳରେ ଉପସ୍ଥିତ ନ ଥିଲେ ହେଁ ଏହି ନିର୍ମା‌ଣ ଧ୍ବଂସ ପାଇଁ ହୋଇଥିବା ‌ଷଡ଼ଯନ୍ତ୍ରରେ ସେ ସାମିଲ ଥିବା କୁହାଯାଇଥିଲା। ବାବ୍ରି ମସଜିଦ୍‌ ଧ୍ବଂସ ପରେ ଠାକ୍‌ରେ ଦାବି କରିଥିଲେ ‌ଯେ ମସଜିଦ୍‌ ଭାଙ୍ଗିବାରେ ତାଙ୍କ ସଂଗଠନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ସମ୍ବନ୍ଧିତ ଖବର