ନୂଆଦିଲ୍ଲୀ: ମା’ର ମମତାରେ କୌଣସି ସ୍ବାର୍ଥ ନଥାଏ। ସେ ନିଜ ପିଲାଙ୍କୁ ନିସ୍ବାର୍ଥ ଭାବେ ଭଲ ପାଇଥାଏ। ଏମିତି କି ମା’ ସାମ୍ନାରେ ଅଜଣା ପିଲା ବି ଯଦି ଅସୁବିଧାରେ ପଡ଼ିଛି ସେ ଧୌର୍ଯ୍ୟ ଧରି ରହି ପାରେ ନା। ସବୁକାମକୁ ପଛକରି ଛୁଆକୁ ସାହାଯ୍ୟ ପାଇଁ ଦୌଡ଼ି ଯାଇଥାଏ।

Advertisment

ମା’ର ମମତାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲିଛି। ଭିଡିଓରେ ଦେଖିବାକୁ ମିଳୁଥିବା ଏହି ହୃଦୟସ୍ପର୍ଶୀ ଘଟଣାଟି କେରଳର କୋଚି ପୁଲିସ୍‌ ଷ୍ଟେସନରେ ଘଟିଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଭିଡିଓରେ ଦେଖିବାକୁ ମିଳୁଥିବା  ୪ମାସର ଶିଶୁର ବାପା ଜେଲ୍‌ରେ ଥିବା ବେଳେ ମା’ ହସ୍ପିଟାଲ ବିଛଣାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛି। ଏହି ପରିବାର ବିହାରର ବାସିନ୍ଦା ହୋଇଥିବା ବେଳେ କିଛି ବର୍ଷ ହେବ ବାପାମା’ ଓ ୪ମାସ ଶିଶୁ ସମେତ ୩ ଭାଇଭଉଣୀ କୋଚିରେ ରହୁଛନ୍ତି।

ମା’ ହସ୍ପିଟାଲ ବିଛଣାରେ ପଡ଼ିଥିବା ବେଳେ ୪ଜଣ ଶିଶୁ ବାହାରେ ଭୋକଉପବାସରେ ପଡ଼ି ରହିଥି‌ଲେ। ଏଥିମଧ୍ୟରୁ ୪ମାସର ଶିଶୁ ମା’ କ୍ଷୀର ପାଇଁ ଆଉଟୁ ପାଉଟୁ ହୋଇ ରାହା ଧରି କାନ୍ଦୁଥିଲା।ତେବେ ଏହି ଘଟଣା ବିଷୟରେ ଖବର ପାଇ ପୁଲିସ୍‌ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ମା’ର ସମସ୍ତ ପିଲାଙ୍କୁ ଉଦ୍ଧାର କରି ପୁଲିସ୍‌ ଥାନାକୁ ଆଣିଥିଲା।

ଏଥିମଧ୍ୟରୁ ତିନିଜଣ ଛୁଆଙ୍କୁ ପୁଲିସ୍‌ କିଛି ଖାଇବାକୁ ଓ ପିଇବାକୁ ଦେଇ ରଖିଥିବା ବେଳେ ୪ମାସ ଶିଶୁ ତାର ମା’କୁ ଝରୁଥିଲା। ପୁଲିସ ଏହି ଶିଶୁକୁ କେମିତି ସମ୍ଭାଳିବ ବୁଝି ପାରୁ ନଥିବା ବେଳେ  ଜଣେ ପୁଲିସ ଅଧିକାରୀ ମା’ ଉକ୍ତ ଛୁଆଟି ପାଖକୁ ଧାଇଁ ଆସିଥିଲେ। ଆଉ କାହାକୁ କିଛି ନକହି ଶିଶୁକୁ କୋଳରେ ଧରି ସ୍ତନ୍ୟପାନ କରାଇଥିଲେ।

ଆଉ ଶିଶୁକୁ କହିଥିଲେ ବ୍ୟସ୍ତ କାଇଁ ହେଉଛି... ମା’ ଆସିବ.. ମା’ ଆସିବା ଯାଏଁ ତୁ ମୋ ସ୍ତନ୍ୟପାନ କରି ତୁନି ଥା...

କିଛିସମୟ ପରେ ଶିଶୁ ଜଣକ ପୁଲିସ ଅଧିକାରୀଙ୍କ ଠାରୁ  ସ୍ତନ୍ୟପାନ କରି ଖୁବ ଆରାମରେ ଶୋଇପଡ଼ିଥିଲା। ୪ମାସର ଶିଶୁ ଚୁପ ହୋଇ ଶୋଇ ପଡ଼ିବା ପରେ ୪ଜଣ ପିଲାଙ୍କ ଅଧିକ ଯତ୍ନ ନିମନ୍ତେ ଚାଇଲ୍ଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଥିଲା।

ତେବେ ପୁଲିସ ଅଧିକାରୀ ଆର୍ଯ୍ୟଙ୍କର ୯ମାସର ସନ୍ତାନ ଅଛି। ତେଣୁ ସେ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସକ୍ଷମ ହୋଇଥିଲେ। ପୁଲିସ ଅଧିକାରୀଙ୍କ ଏଭଳି କାମ ଚର୍ଚ୍ଚାରେ ରହିଛି।