କେରଳରେ ବର୍ଷା ବିଭୀଷିକା : କୋଚି ବିମାନ ବନ୍ଦର ଅଗଷ୍ଟ ୧୮ ପର୍ଯ୍ୟନ୍ତ ବନ୍ଦ

ନୂଆଦିଲ୍ଲୀ: କୋଚିର ଆନ୍ତର୍ଜାତିକ ବିମାନ ବନ୍ଦର ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ଘୋଷଣା କରିଛନ୍ତି। କେରଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଏହି ନିଷ୍ପତ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି। ବିମାନ ବନ୍ଦର ଚାରିପଟେ ବନ୍ୟାଜଳ ମାଡ଼ି ଥିବାରୁ ବୁଧବାର ଦିନ ସେଠାରେ ବିମାନ ଉଡ଼ାଣ ଓ ଅବରତଣକୁ ବାତିଲ କରାଯାଇଛି। ଅଗଷ୍ଟ ୧୮ ର ଅପରାହ୍ଣ ୨ଟା ଯାଏଁ ବିମାନ ଚଳାଚଳ ବନ୍ଦ ରହିବ। କୋଚି ବିମାନ ବନ୍ଦର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି କି ‘ଆମେ ବର୍ଷା ଜଳ ନିଷ୍କାସନ ଲାଗି ଉଦ୍ୟମ ଜାରି ରଖିଛୁ। ଆମକୁ ଏ ଦିଗରେ ସାହାଯ୍ୟ କରନ୍ତୁ।’ ଉଲ୍ଲେଖଯୋଗ୍ୟ କି ବୁଧବାର ସକାଳେ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ଲାଗି ଘୋଷଣା କରିଥିଲେ। ପରେ ଏହାକୁ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ଥିଲା।

ମୂଷଳଧାରାରେ ବର୍ଷା ହେବାରୁ କୂଳଲଙ୍ଘି ଥିବା ନଈ ଏବଂ ଭୂସ୍ଖଳନ ଯୋଗୁଁ କେରଳ ବିପର୍ଯ୍ୟସ୍ତ ହେବା ସହ ଏ ପର୍ଯ୍ୟନ୍ତ ୪୦ ଜଣ ବ୍ୟକ୍ତିଙ୍କ ଜୀବନ ହାନି ଘଟିଛି। ଅନର୍ଗଳ ବର୍ଷା ଯୋଗୁଁ ବାଧ୍ୟ ହୋଇ ସରକାର ‘ଓନାମ୍‌’ ପାଳନ ବନ୍ଦ ରଖିବା ସହ ସେ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ଅର୍ଥରାଶି ରିଲିଫ୍‌ କାର୍ଯ୍ୟରେ ଲଗାଯାଇଥିବା କଥା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ କହିଛନ୍ତି।

ରାଜ୍ୟରେ ବନ୍ୟା ଯୋଗୁଁ ବୁଧବାର ଦିନ ସ୍ୱାଧୀନତା ଦିବସ ଆପ୍ୟାୟନକୁ ମଧ୍ୟ ବାତିଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ ପି ଶତଶିବ। ବୁଧବାର ସକାଳ ଠାରୁ କେରଳର ବିଭିନ୍ନ ଅଞ୍ଚଳ ବିଶେଷ କରି ଦୁଇ ପାର୍ବତ୍ୟ ଜିଲ୍ଲା ଓ୍ଵାୟାଣ୍ଡା ଏବଂ ଇଡ୍ଡୁକି ପ୍ରବଳ ବର୍ଷା ହେଉଛି।

ସମ୍ବନ୍ଧିତ ଖବର